ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଡିସେମ୍ବର 14ରେ ଫଳାଫଳ ଘୋଷଣା ହେବ । ତେବେ ଏଠି ବଡ଼ ପ୍ରଶ୍ନ ହେଉଛି ବର୍ଷ ବର୍ଷ ଧରି ବିହାର କାହିଁକି ଗରିବ । ଏହାକୁ ନେଇ ବିଭିନ୍ନ ଦଳମାନଙ୍କ ମଧ୍ୟରେ ବିତର୍କ ଚାଲିଛି । ବିହାର ଦୀର୍ଘ ସମୟ ଧରି ଗରିବୀ ସହିତ ସଂଘର୍ଷ କରୁଛି। ଏବେ ବି ଅନ୍ୟ ରାଜ୍ୟ ତୁଳନାରେ ବିହାରର ମୁଣ୍ଡ ପିଛା ଆୟ କମ । ବିହାର, ଯାହାକୁ ଦୀର୍ଘ ଦିନ ଧରି “ବିମାରୀ ରାଜ୍ୟ” କୁହାଯାଉଛି । ଯେତେବେଳେ ଭାରତର ମୁଣ୍ଡପିଛା ଆୟ ବର୍ଷକୁ ୧.୮୯ ଲକ୍ଷ ଟଙ୍କା ଅତିକ୍ରମ କରିଛି । କିନ୍ତୁ ସେତେବେଳେ ବିହାରର ମୁଣ୍ଡ ପିଛା ଆୟ ୬୦,୦୦୦ ଟଙ୍କା ରହିଛି । ଗୋଟିଏ ପଟେ ସହରରେ ମୁଣ୍ଡପିଛା ଆୟ ବଢ଼ିଛି । କିନ୍ତୁ ଗ୍ରାମାଞ୍ଚଳରେ ଯେତିକି ମୁଣ୍ଡପିଛା ଆୟ ବଢ଼ିବା କଥା ତାହା ବୃଦ୍ଧି ପାଇନାହିଁ । ରାଜଧାନୀ ପାଟନାର ମୁଣ୍ଡପିଛା ଆୟ 2,15,049 ଟଙ୍କା । କିନ୍ତୁ ଗ୍ରାମାଞ୍ଚଳରେ ଏହା କେବଳ 33,399 ଟଙ୍କା । ଯାହା ଫଳରେ ବିହାରର ଗ୍ରାମାଞ୍ଚଳରେ ଲୋକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।
ବିହାରର ଅଧିକ ଜନସଂଖ୍ୟା ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । ବିହାରର ଜନସଂଖ୍ୟା ଘନତ୍ୱ ଏବେ ପ୍ରତି ବର୍ଗ କିଲୋମିଟର ପିଛା ୧,୩୮୮ ଜଣ ରହିଛି । ବିହାରର ୮୮% ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି । ଯେଉଁଠାରେ ଶିକ୍ଷା, ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଅବସ୍ଥାରେ ରହିଛି । ବିହାରରେ ସାକ୍ଷରତା ହାର ୭୦.୭% ରହିଛି । କିନ୍ତୁ ମହିଳାଙ୍କ ମଧ୍ୟରେ ବହୁ କମ ୬୦.୫% ରହିଛି । ଜାତୀୟ ଶିକ୍ଷା ହାର ୭୪.୪% ଏହା ବହୁତ କମ । ମହିଳାମାନେ ଅଧିକ ସନ୍ତାନ ଜନ୍ମ ଦେବା ଯୋଗୁଁ ସେମାନଙ୍କୁ ଭଲ ଶିକ୍ଷା, ଭଲ ରୋଜଗାର ମିଳିପାରୁନାହିଁ । ଯାହା ଫଳରେ ଅଧିକାଂଶ ପରିବାରର ଆୟ ପିଢ଼ି ପରେ ପିଢ଼ି ଗରିବ ଭିତରେ ରହୁଛି । ଏହା ସହିତ, ମହିଳାଙ୍କ ଶିକ୍ଷା ହାର ୬୦.୫% ଉପରକୁ ବଢ଼ୁନାହିଁ । ଯାହା କି ଜାତୀୟ ହାରଠୁ କମ ରହୁଛି । ବିହାରର ଗରିବୀର ମୂଳ କାରଣ ଏହାର ଉଚ୍ଚ ଜନ୍ମହାର କୁହାଯାଉଛି । ମହିଳାମାନେ ସଚେତନ ନୁହଁନ୍ତି । ଉଚ୍ଚ ଜନ୍ମହାର ପାଇଁ ବିହାରରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଛି । ଶିକ୍ଷା କ୍ଷେତ୍ରରେ ମହିଳା ବହୁ ପଛରେ ରହିଛନ୍ତି । ରାଜ୍ୟରେ ଶିଶୁ ମୃତ୍ୟୁ ହାର ୧,୦୦୦ ଜନ୍ମରେ ୩୪ ରହିଛି । ୪୩% ଶିଶୁ ଅପପୁଷ୍ଟିର ଶିକାର ଅଛନ୍ତି । ବିହାରରେ ଗତ 50 ବର୍ଷହେଲା ଅଧିକ ଜନ୍ମହାର ଓ ପୁରୁଷ ସନ୍ତାନ ପ୍ରତି ପସନ୍ଦ ବେକାରୀ ସମସ୍ୟା ସୃଷ୍ଟି କରୁଛି । ବିହାରରେ ଜନ୍ମହାର ଜାତୀୟ ହାରରୁ ଅଧିକ। ମହିଳାଙ୍କ ମୋଟ ଜନ୍ମହାର (Total Fertility Rate) ୨.୯ । ଯେତେବେଳେ ଜାତୀୟ ଜନ୍କ ହାର ୨.୦ ରହିଛି। ପୁଅ ଜନ୍ମପାଇଁ ପରିବାର ମାନେ ଅଧିକ ଚାହୁଁଥିବାରୁ ଅଧିକ ସନ୍ତାନ ଜନ୍ମ ନେଉଛନ୍ତି । ପୁଅ ସନ୍ତାନଙ୍କୁ ଅଧିକ ପସନ୍ଦ କରିବାର ତଥ୍ୟ ଏହା କହୁଛି ଯେ ୨୦୨୨ରେ ୮୯୧ ମହିଳା ପ୍ରତି ୧୦୦୦ ପୁରୁଷରେ ଥିଲେ । ଯାହା ୨୦୨୪ରେ ୮୮୨କୁ ହ୍ରାସ ପାଇଛି।
ବିହାରରେ ଶିକ୍ଷା କ୍ଷେତ୍ରରେ ଡ୍ରଫ ଆଉଟ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଏହି ରାଜ୍ୟରେ ମହିଳା ସ୍ବାକ୍ଷରତା ହାର ବହୁତ କମ । ଜନ୍ମହାର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ମୁଣ୍ଡପିଛା ଆୟରେ ବିହାର ଏବେ ଭାରତରେ ସର୍ବନିମ୍ନ ସ୍ଥାନରେ ଅଛି । ନୀତି ଆୟୋଗର ରିପୋର୍ଟ ଅନୁସାରେ ୨୦୨୨-୨୩ ରେ ୨୬.୫୯% ଲୋକ ବିହାରରେ ଦାରିଦ୍ର୍ୟରେ ଜୀବନଯାପନ କରୁଛନ୍ତି।
ନିମ୍ନ ଶିକ୍ଷା ହାର ଓ ଦକ୍ଷତାର ଅଭାବ ମହିଳା, ଯୁବକମାନଙ୍କୁ ନିଯୁକ୍ତି ଦେବାରେ ସମସ୍ୟା ଆଣୁଛି । ବିହାର କୃଷି ଉପରେ ଅଧିକ ନିର୍ଭରତଶୀଳ । ରାଜ୍ୟର ୫୬% ଲୋକଙ୍କୁ ରୋଜଗାର ଦେଉଛି କୃଷି । ବିହାର ସାଧାରଣତ ଅଧିକ କୃଷି ଉପରେ ନିର୍ଭରଶୀଳ । ଯେଉଁଥିପାଇଁ ବିହାରରେ ବହୁଦିନ ହେଲା ଅର୍ଥନୈତିକ ଅସମାନତା ରହିଛି । ବିହାରରରେ ଶିଳ୍ପର ବିକାଶ ଯେପରି ହେବାକଥା ତାହା ହୋଇପାରିନାହିଁ । କାରଣ ବିହାରରୁ ୨୦୦୦ ମସିହାରେ ଝାଡ଼ଖଣ୍ଡ ବିଭାଜନ ହେବା ପରେ ବିହାର ତା’ର ଖଣିଜ ସମ୍ପଦ ଓ ଶିଳ୍ପ କେନ୍ଦ୍ର ଯଥା ଧାନବାଦ ଓ ଜାମସେଦପୁର ହରାଇଛି । ଯାହା ବିହାରର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଛି ।
ବିହାର ଗରିବ ରାଜ୍ୟ ହେବାର ଅନ୍ୟ କାରଣ ବିହାରର ଅଧିକାଂଶ ଅଞ୍ଚଳ ବନ୍ୟାପ୍ରବଣ । ପ୍ରତି ବର୍ଷ ବନ୍ୟା ବିଶେଷକରି କୋଶୀ ଓ ଗଙ୍ଗା ନଦୀ ଅବବାହିକାରେ ଆସିଥାଏ । ସେଥିପାଇଁ କୃଷକମାନଙ୍କ ଆର୍ଥିକ ଅବସ୍ଥାକୁ କ୍ଷତି ଘଟାଇଥାଏ ।
ବିହାରରେ କେବଳ ଯୁବ ବେକାରୀ (୧୫-୨୯ ବର୍ଷ) ୧୦.୮% ରହିଛି। ଏବେ ବିହାରରେ ପ୍ରାୟ ୪୦ ଲକ୍ଷ ଶିକ୍ଷିତ ଯୁବକ ବେକାର ରହିଛନ୍ତି । ତେଣୁ ପ୍ରତି ଦୁଇ ଜଣରୁ ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟକୁ (ଯଥା ଦିଲ୍ଲୀ, ମୁମ୍ବାଇ, ପଞ୍ଜାବ)କୁ କାମ ପାଇଁ ଯାଉଛନ୍ତି ।
ବିହାରରେ ଗୁଣ୍ଡାରାଜ, ଦୀର୍ଘ ସମୟ ଧରି ରାଜନୈତିକ ଅସ୍ଥିରତା ଓ ଦୁର୍ନୀତି ଏହି ରାଜ୍ୟକୁ ଦରିଦ୍ର୍ୟ କରୁଛି । ଅର୍ଥନୈତିକ ବିକାଶକୁ ବାଧା ଦେଉଛି। ଯଦିଓ ୨୦୦୫ ପରେ ନୀତୀଶ କୁମାରଙ୍କ ସରକାର ଶିକ୍ଷାରେ ଉନ୍ନତି ଆଣିଛନ୍ତି, ସ୍ବାସ୍ଥ୍ୟରେ ଉନ୍ନତି ଆଣିଛନ୍ତି । ତଥାପି ତାହା ସମସ୍ତଙ୍କ ପାଖରେ ପହଁଚିପାରୁନାହିଁ ।
ଯଦିଓ ନୀତିଶ କୁମାରଙ୍କ ସରକାର ସମୟରେ ରାସ୍ତା, ବିଦ୍ୟୁତ୍, ଓ ଶିକ୍ଷାରେ ଅଧିକ ନିବେଶ ହୋଇଛି । କିନ୍ତୁ ସୁଫଳ ସମସ୍ତଙ୍କ ନିକଟରେ ପହଁଚିପାରିନାହିଁ । ବିହାରରେ ଦୁଇ ଦଶନ୍ଧି ହେଲା ନୀତିଶ ଏବଂ, ଲାଲୁଙ୍କ ପରିବାର ହାତରେ କ୍ଷମତା ରହିଛି । ବିହାର ଯେମିତି ବଢ଼ିବା କଥା ସେମିତି ଅନ୍ୟ ରାଜ୍ୟ ତୁଳନାରେ ବଢ଼ୁନାହିଁ । ବିକାଶ ଯେମତି ହେବା କଥା ହେଉନାହିଁ । ଯାହା ଏହି ରାଜ୍ୟ ପାଇଁ ଚ୍ୟାଲେଞ୍ଜ ହୋଇଛି । ରାଜ୍ୟରେ ଏବେ ବି ସୀମିତ କାରଖାନା ରହିଛି । ଯାହା ଯୁବକଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହେଉନାହିଁ । ତେଣୁ ଅଧିକାଂଶ ବିହାରୀ ଚାକିରି ଖୋଜିବା ପାଇଁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେଉଛନ୍ତି ।