ମଧ୍ୟପ୍ରାଚ୍ୟ ଯୁଦ୍ଧର ଘନଘଟା ଭିତରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ଯୁଦ୍ଧକୁ ନେଇ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି ।
ଆମେରିକା ଏବଂ ଇରାନ ମଧ୍ୟରେ ସମାଧାନ ପାଇଁ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ବଡ଼ ବୟାନ ଦେଇଛନ୍ତି। ସର୍ବଦଳୀୟ ବୈଠକରେ ଜୟଶଙ୍କର କହିଛନ୍ତି ଯେ, ଭାରତ କୌଣସି “ଦଲାଲ୍ ଦେଶ” ନୁହେଁ। ଭାରତ କୌଣସି ବି ପରିସ୍ଥିତିରେ ଦଲାଲିଗିରି କରିପାରିବ ନାହିଁ।
ସଂସଦ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପଶ୍ଚିମ ଏସିଆ ସଙ୍କଟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ବିରୋଧୀ ଦଳ ପକ୍ଷରୁ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ପ୍ରଶ୍ନ ଉଠାଯିବା ପରେ ଜୟଶଙ୍କର ଏହାର କଡ଼ା ଜବାବ ଦେଇଥିଲେ। ସେ କହିଛନ୍ତି ଯେ, ୧୯୮୧ ମସିହାରୁ ଆମେରିକା ପାକିସ୍ତାନକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ଇରାନ ସହ ଯୋଗାଯୋଗ ରଖିଆସୁଛି, ଏଥିରେ ନୂଆ କିଛି ନାହିଁ। କିନ୍ତୁ ଭାରତ ଏଭଳି ଦଲାଲି କରିବାକୁ ଚାହେଁନାହିଁ।
ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇ ଯୁଦ୍ଧ ଶୀଘ୍ର ଶେଷ କରିବାକୁ କହିଛନ୍ତି। ବୈଠକରେ ଅମିତ ଶାହ, ନିର୍ମଳା ସୀତାରମଣଙ୍କ ସମେତ କଂଗ୍ରେସ, ସମାଜବାଦୀ ପାର୍ଟି ଓ ବାମଦଳର ନେତାମାନେ ସାମିଲ ଥିଲେ।











