ଜାନୁଆରୀ ୧୦, ୨୦୨୬ ରେ ରାଉରକେଲା ନିକଟବର୍ତ୍ତୀ ଜଲଦା ଗାଁ ନିକଟରେ ଘଟିଥିବା ଇଣ୍ଡିଆ ଓ୍ୱାନ୍ ଏୟାର୍ ବିମାନ ଦୁର୍ଘଟଣାର ପ୍ରାଥମିକ କାରଣ ସାମ୍ନାକୁ ଆସିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ତଦନ୍ତ ବ୍ୟୁରୋ (AAIB) ପକ୍ଷରୁ ପ୍ରକାଶିତ ପ୍ରାଥମିକ ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟିର ସନ୍ଦେହ ପ୍ରକାଶ ପାଇଛି।ବିମାନଟି ଭୁବନେଶ୍ୱରର ବିଜୁ ପଟ୍ଟନାୟକ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଉରକେଲା ଅଭିମୁଖେ ଯାତ୍ରା କରୁଥିଲା। ଏହା ଏକ ସିଙ୍ଗଲ୍ ଇଞ୍ଜିନ୍ ସେସ୍ନା ଗ୍ରାଣ୍ଡ୍ କାରାଭାନ୍ ୨୦୮ବି ଇଏକ୍ସ (VT-KSS) ଥିଲା ଏବଂ ଏହା ଇଣ୍ଡିଆ ଓ୍ୱାନ୍ ଏୟାର୍ ଦ୍ୱାରା ପରିଚାଳିତ ହେଉଥିଲା। ଗନ୍ତବ୍ୟସ୍ଥଳ ରାଉରକେଲା ବିମାନବନ୍ଦରରୁ ପ୍ରାୟ ୩୦ ନଟିକାଲ୍ ମାଇଲ୍ ଦୂରରେ ପାଇଲଟ୍ ଇଞ୍ଜିନ୍ ତୈଳ ଚାପ (ଅଇଲ୍ ପ୍ରେସର୍) ହ୍ରାସ ପାଇବା ସହ ଇଞ୍ଜିନ୍ ପାୱାର୍ କମିଯାଇଥିବା ଲକ୍ଷ୍ୟ କରିଥିଲେ।
କଣ ଘଟିଥିଲା?
- ବିମାନ ସଦସ୍ୟମାନେ ତୁରନ୍ତ ମେଡେ କଲ୍ ଜାରି କରିଥିଲେ।
- ସେମାନେ ପ୍ରଥମେ ଏକ ନଦୀ କୂଳରେ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ଏକ ଖୋଲା ପଡିଆରେ ଫୋର୍ସ୍ଡ୍ ଲ୍ୟାଣ୍ଡିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ।
- ଅବତରଣ ସମୟରେ ବିମାନଟି ଏକ ଗଛର ଉପର ଭାଗ ଏବଂ ହାଇ-ଟେନ୍ସନ୍ ପାୱାର୍ ଲାଇନ୍ ସହ ଧକ୍କା ଖାଇଥିଲା ଏବଂ ପରେ କ୍ରାସ୍ ହୋଇଥିଲା।
ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ତିନିଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଉଭୟ ପାଇଲଟ୍ ମଧ୍ୟ ଆହତ ହୋଇଥିଲେ। ମୋଟ୍ ୬ ଜଣ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।
AAIB ପ୍ରାଥମିକ ରିପୋର୍ଟରେ କଣ ଖୁଲାସା?
- ଇଞ୍ଜିନ୍ ତୈଳ ଚାପ ହ୍ରାସ ଏବଂ ଇଞ୍ଜିନ୍ ପାୱାର୍ କମିବା ସହ ତୈଳ ଲିକେଜ୍ (oil leakage) ର ସନ୍ଦେହ କରାଯାଉଛି।
- ଏହା ଯାନ୍ତ୍ରିକ ତ୍ରୁଟି (system/component failure – powerplant) ଯୋଗୁଁ ହୋଇଥିବା ପ୍ରାଥମିକ ସଙ୍କେତ ମିଳିଛି।
- ପାଇଲଟ୍ ମାନଙ୍କ ଭୁଲ୍ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ। ବିମାନ ସଦସ୍ୟମାନେ ଜରୁରୀ ପରିସ୍ଥିତିରେ ଉପଯୁକ୍ତ ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ।
- ଫ୍ଲାଇଟ୍ ଡାଟା ରେକର୍ଡର୍ (FDR), କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ଏବଂ ଇଞ୍ଜିନ୍ ଯନ୍ତ୍ରାଂଶଗୁଡ଼ିକର ବିସ୍ତୃତ ପରୀକ୍ଷା ଚାଲୁ ରହିଛି।
AAIB ରିପୋର୍ଟରେ ଏପର୍ଯ୍ୟନ୍ତ କୌଣସି ଅନ୍ତରିମ ସୁପାରିଶ୍ ଦିଆଯାଇ ନାହିଁ। ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ପରେ ଅଧିକ ସ୍ପଷ୍ଟତା ମିଳିପାରେ।
ଦୁର୍ଘଟଣାର ପରେ କଣ ହେଲା?
- ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) ଏବଂ AAIB ତଦନ୍ତ ଆରମ୍ଭ କରିଥିଲେ।
- ଆହତଙ୍କୁ ତୁରନ୍ତ ହସ୍ପିଟାଲ୍ ପଠାଯାଇଥିଲା ଏବଂ ସ୍ଥାନୀୟ ପ୍ରଶାସନ ତ୍ୱରିତ ଉଦ୍ଧାର କାର୍ଯ୍ୟ କରିଥିଲା।
- ଇଣ୍ଡିଆ ଓ୍ୱାନ୍ ଏୟାର୍ କମ୍ପାନୀ ମୃତ ଯାତ୍ରୀଙ୍କ ପରିବାରକୁ ଆର୍ଥିକ ସହାୟତା ଏବଂ ଚାକିରିର ଆଶ୍ୱାସନା ଦେଇଛି।
ଏହି ଦୁର୍ଘଟଣା ଓଡ଼ିଶାରେ ବିମାନ ଚଳାଚଳ ସୁରକ୍ଷା ନେଇ ପୁନର୍ବିଚାର କରିବାକୁ ବାଧ୍ୟ କରିଛି। ବିଶେଷକରି ଛୋଟ ବିମାନ ସେବାରେ ଯାନ୍ତ୍ରିକ ପରୀକ୍ଷା ଏବଂ ପାଇଲଟ୍ ତାଲିମ୍ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି।











