ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଆଜି ଏହାର ମୁଦ୍ରା ନୀତି (Monetary Policy) ସମୀକ୍ଷା କରି ବଡ଼ ଘୋଷଣା କରିଛି। RBI ରେପୋ ରେଟ୍କୁ ୦.୨୫ ପ୍ରତିଶତ (୨୫ ବେସିସ୍ ପଏଣ୍ଟ) ହ୍ରାସ କରି ୫.୨୫%କୁ ଆଣିଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ବ୍ୟାଙ୍କ ଋଣ ଉପରେ ସୁଧ ହାର କମିବାର ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି, ଯାହା ଗ୍ରାହକମାନଙ୍କୁ ଆଶ୍ୱସ୍ତି ଦେବ। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏହି ଘୋଷଣା କରିବା ସହିତ ନିଜର ‘ତଟସ୍ଥ ଆଭିମୁଖ୍ୟ’ ବଜାୟ ରଖିଛନ୍ତି।ରେପୋ ରେଟ୍ ହ୍ରାସ ହେବା ଦ୍ୱାରା ବ୍ୟାଙ୍କଗୁଡ଼ିକୁ RBI ଠାରୁ ଶସ୍ତା ଦରରେ ଋଣ ମିଳିବ। ଫଳସ୍ୱରୂପ, ବ୍ୟାଙ୍କମାନେ ଗ୍ରାହକମାନଙ୍କୁ ଦିଆଯାଉଥିବା ଗୃହ ଋଣ, କାର୍ ଋଣ ଏବଂ ବ୍ୟକ୍ତିଗତ ଋଣ (Personal Loan) ଉପରେ ସୁଧ ହାର କମାଇବେ ବୋଲି ଆଶା କରାଯାଉଛି।
ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ଦରଦାମ୍ ରେ ବ୍ୟାପକ ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି: “ଅକ୍ଟୋବର ନୀତି ପରଠାରୁ ଭାରତୀୟ ଅର୍ଥନୀତିରେ ଦ୍ରୁତ ମୁଦ୍ରାସ୍ଫୀତି ହ୍ରାସ ଘଟିଛି, ଯାହା ଅକ୍ଟୋବର ୨୦୨୫ରେ ମାତ୍ର ୦.୩ ପ୍ରତିଶତକୁ ଖସି ଆସିଛି। ପ୍ରକୃତ ଜିଡିପି ଅଭିବୃଦ୍ଧି (Q2) ରେ ୮.୨% କୁ ବୃଦ୍ଧି ପାଇଛି।”
ରେପୋ ରେଟ୍ ହ୍ରାସ ହେବା ପରେ ତରଳତା ସମାୟୋଜନ ସୁବିଧା ଅଧୀନରେ ଷ୍ଟାଣ୍ଡିଂ ଡିପୋଜିଟ୍ ଫାସିଲିଟି ରେଟ୍ ୫.୦ ପ୍ରତିଶତକୁ ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ଓ ବ୍ୟାଙ୍କ ରେଟ୍ ୫.୫ ପ୍ରତିଶତକୁ ସମାୟୋଜିତ ହୋଇଛି।



















