ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କର ମୃତ୍ୟୁର 23 ମିନିଟ ପୂର୍ବର ଫଟୋ ସାମ୍ନାକୁ ଆସିଛି। ଇରାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫଟୋରେ ଆୟାତୋଲ୍ଲା ଖାମେନେଇ ନିଜ ଅଫିସରେ ଶାନ୍ତ ଭାବରେ ପବିତ୍ର କୋରାନ୍ ପଢ଼ୁଥିବା ଦେଖାଯାଉଛି।ଏହା ତାଙ୍କର ମୃତ୍ୟୁ ପୂର୍ବରୁ ଧରାଯାଇଥିବା ଶେଷ ମୁହୂର୍ତ୍ତ ବୋଲି କୁହାଯାଉଛି।
ଇରାନୀୟ ଟେଲିଭିଜନ୍ ଏବଂ ଅନ୍ୟାନ୍ୟ ମିଡିଆ ଏହି ଫଟୋ ପ୍ରକାଶ କରିଛନ୍ତି। ଫଟୋରେ ଖାମେନେଇ ଅତ୍ୟନ୍ତ ଶାନ୍ତ ଏବଂ ଧ୍ୟାନମଗ୍ନ ଦେଖାଯାଉଛନ୍ତି।ଉଲ୍ଲେଖନୀୟ ଯେ, ଫେବୃଆରୀ ୨୮ ତାରିଖରେ ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ୍ ଦ୍ୱାରା ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଆୟାତୋଲ୍ଲା ଅଲି ଖାମେନେଇ (୮୬ ବର୍ଷ) ମୃତ୍ୟୁବରଣ କରିଥିଲେ।
ଇରାନ୍ ସରକାର ଏହି ଖବର ମାର୍ଚ୍ଚ ୧ ତାରିଖରେ ନିଶ୍ଚିତ କରିଥିଲେ ଏବଂ ଦେଶରେ ୪୦ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ଶେଷ ଫଟୋ ଇରାନୀୟ ଜନତା ଏବଂ ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଅନେକ ଲୋକ ଏହାକୁ ତାଙ୍କର ଅନ୍ତିମ ମୁହୂର୍ତ୍ତର ଏକ ଶାନ୍ତ ଏବଂ ଧାର୍ମିକ ଚିତ୍ର ବୋଲି ବର୍ଣ୍ଣନା କରୁଛନ୍ତି।
ତେବେ କେତେକ ସୋସିଆଲ୍ ମିଡିଆରେ ଖାମେନେଇଙ୍କ ମୃତ ଶରୀର ସହ ଜଡ଼ିତ କେତେକ ଫଟୋ ଏବଂ ଭିଡିଓ ଭାଇରାଲ୍ ହେଉଛି, ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ତିଆରି ବୋଲି ଫ୍ୟାକ୍ଟ ଚେକ୍ ରିପୋର୍ଟରେ ଜଣାପଡ଼ିଛି। ଏହି ଅବସରରେ ଖାମେନେଇଙ୍କ ଆତ୍ମାର ଶାନ୍ତି କାମନା କରୁଛନ୍ତି ଇରାନୀୟ ଜନତା।











