E20 ପେଟ୍ରୋଲ ବିକ୍ରିକୁ ସାରାଦେଶରେ ବାଧ୍ୟତାମୂଳକ କରାଯିବାପରେ ଗାଡି ଚାଳକଙ୍କ ମଧ୍ୟରେ ଏକ ପ୍ରକାର ଭାଳେଣି ପଡିଯାଇଛି । କାରଣ ଏହି ତେଲକୁ କେହି କେହି ଗାଡି ପାଇଁ ଭଲ ବୋଲି କହୁଥିବା ବେଳେ ଆଉ କେହି ଏହା ଗାଡି ଇଂଜିନ ପାଇଁ କ୍ଷତିକାରକ ବୋଲି କହୁଛନ୍ତି । ସୁତରାଂ ସରକାର ଏ ବାବଦରେ ତୁରନ୍ତ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ।
ଆଜିଠୁ ସାରା ଦେଶରେ ବିକ୍ରି ହେବ ଇଥାନଲ ମିଶ୍ରିତ ପେଟ୍ରୋଲ। ଏହାକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ଆଜିଠୁ ଆପଣ ଗାଡ଼ିରେ ଯେଉଁ ତେଲ ପକାଇବେ ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ ରହିବ। ଭୟଙ୍କର ତୈଳ ସଙ୍କଟ ସମୟରେ E20 ପେଟ୍ରୋଲ ବିକ୍ରିକୁ ବାଧ୍ୟତାମୂଳକ କରାଯାଇଛି।
ତେବେ ଏ ଇଥାନଲ୍ ମିଶା ପେଟ୍ରୋଲ୍ କ’ଣ ? ଉତ୍କଳ ପେଟ୍ରୋଲିୟମ ଡିଲର ସଙ୍ଘ ସଂପାଦକଙ୍କ କହିବା କଥା, ଇଥାନଲ୍ ହେଉଛି ବୈଜ୍ଞାନିକ ପ୍ରକ୍ରିୟାରେ ଉତ୍ପାଦିତ ଏକ ପ୍ରକାର ଆଲକହଲ। ଯାହାକୁ ପେଟ୍ରୋଲରେ ମିଶା ଯାଇ ଯାନବାହନରେ ପରିବେଶ ଅନୁକୂଳ ଇନ୍ଧନ ଭାବେ ବ୍ୟବହାର କରାଯାଉଛି। ଏହା ମୁଖ୍ୟତଃ ଆଖୁ ରସ, ମକା, ପଚା ଆଳୁ ଓ ପଚା ପନିପରିବା ଭଳି ବର୍ଜ୍ୟଯୁକ୍ତ ସାମଗ୍ରୀରୁ ପ୍ରସ୍ତୁତ ହେଉଛି। ଯାହା ଲିଟର ପିଛା ୬୦ରୁ ୭୦ ଟଙ୍କାରେ ମିଳି ଯାଉଛି।
ଅଟୋମୋବାଇଲ୍ ଇଞ୍ଜିନିୟରଙ୍କ କହିବା କଥା, ଗାଡ଼ି ପାଇଁ ଏହା ଆଦୌ କ୍ଷତିକାରକ ନୁହେଁ। ଇଥାନଲ ଇଞ୍ଜିନର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ସହ ଅସମାନ ଦହନକୁ ରୋକିବାରେ ବି ସାହାଯ୍ୟ କରେ ଓ ମାଇଲେଜ୍ ବଢ଼ାଏ। ଇଞ୍ଜିନକୁ ଅଧିକ ଗରମ ହେବାରୁ ବି ରକ୍ଷା କରେ। ସାଧାରଣ ପେଟ୍ରୋଲ ତୁଳନାରେ ଏହା ୩୫% କମ୍ କାର୍ବନ ମନୋକସାଇଡ୍ ନିର୍ଗମନ କରିଥାଏ। ତେବେ ୨୦୨୩ ପୂର୍ବରୁ କିଣା ହୋଇଥିବା ବିଏସ-୫ ଓ ବିଏସ୍ ୪ ଗାଡ଼ି ଗୁଡ଼ିକରେ ଏହି ପେଟ୍ରୋଲ୍ ପକାଇଲେ ମାଇଲେଜ୍ ୩ରୁ ୭ ପ୍ରତିଶତ ହ୍ରାସ ପାଇପାରେ ବୋଲି ସୂଚନା ଦେଇଛନ୍ତି ଇଞ୍ଜିନିୟର।









