ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏକ୍ସ ମାଧ୍ୟମରେ କହିଛନ୍ତି ଯେ ଆଜି ଲୋକସେବା ଭବନଠାରେ ସୁଭଦ୍ରା ଯୋଜନା ପାଇଁ ବହୁ ପ୍ରତୀକ୍ଷିତ ଅଭିଯୋଗ ସମାଧାନ ମଡ୍ୟୁଲ୍ର ଶୁଭାରମ୍ଭ କରାଯାଇଛି । ଏହି ମଡ୍ୟୁଲ୍କୁ ଉପଯୋଗ କରି ଡିଜିଟାଲ୍ ବ୍ୟବସ୍ଥାରେ ସୁଭଦ୍ରା ଆବେଦନକାରୀଙ୍କ ଅଭିଯୋଗ ଯଥା ଆବେଦନ ପ୍ରତ୍ୟାଖ୍ୟାନ ଓ ସୁଭଦ୍ରା ସହାୟତା ନମିଳିବା ଆଦିର ତ୍ୱରିତ ଉପାୟରେ ତଦନ୍ତ କରି ନିଷ୍ପତ୍ତି ଗ୍ରହଣ କରାଯିବ । ଏହି ମଡ୍ୟୁଲ୍ ଜରିଆରେ ପ୍ରଥମେ ବ୍ଲକ୍ ସ୍ତରରେ, ନଗର ସ୍ତରରେ ଓ ପରେ କ୍ଷେତ୍ର ସ୍ତରରେ ଯାଞ୍ଚ ରିପୋର୍ଟ ଉପରେ ଆଧାର କରି ହିତାଧିକାରୀଙ୍କ ଯୋଗ୍ୟତା ବାବଦରେ ନିଷ୍ପତ୍ତି ନିଆଯିବ। ଶେଷରେ ଜିଲ୍ଲା ସ୍ତରୀୟ ଓ ନଗର ନିଗମ ସ୍ତରୀୟ ସ୍କୃୁଟିନି କମିଟି ଅନୁମୋଦନ ଓ ପ୍ରତ୍ୟାଖ୍ୟାନର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହି ମଡ୍ୟୁଲ୍ ଦ୍ୱାରା ପୂର୍ବରୁ ସୁଭଦ୍ରା ପୋର୍ଟାଲରେ ଆସିଥିବା ୨,୮୩,୨୬୪ଟି ଅଭିଯୋଗର ମଧ୍ୟ ସମାଧାନ କରାଯିବ ।
ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନରେ ଓଡ଼ିଶାର ଭଉଣୀମାନଙ୍କୁ ‘ସୁଭଦ୍ରା’ ଉପହାର ପ୍ରଦାନ କରାଯାଇଥିଲା । ଏହା ୧ କୋଟିରୁ ଉର୍ଦ୍ଧ୍ୱ ସୁଭଦ୍ରା ଭଉଣୀମାନଙ୍କ ପାଇଁ ଆଶାର କିରଣ ସାଜିବା ସହ ସେମାନଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ପ୍ରୋତ୍ସାହନ ଯୋଗାଇଛି । ଏଥର ମୋଦୀ ଜୀଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଏକବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ପାଇଁ ‘ଧନ୍ୟବାଦ ମୋଦୀ ଜୀ’ କାର୍ଯ୍ୟକ୍ରମକୁ ସୁଭଦ୍ରା ଭଉଣୀମାନେ ଏବଂ ୩୩୮ଟି ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟ (ଆଇସିଡିଏସ୍)ରେ ଉତ୍ସବ ଭାବେ ପାଳନ କରିବା ପାଇଁ ଆହ୍ୱାନ କରୁଛି।