ରାଜଧାନୀରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। କଡ଼ା ସୁରକ୍ଷାରେ ଥିବା ଅଶୋକନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।  ପୁଲିସ୍ ସୂଚନା ଅନୁସାରେ  ନାବାଳିକାଙ୍କର ଚିକିତ୍ସା ଚାଲିଛି ।  କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତରମାନେ ଚିକିତ୍ସା କରୁଛନ୍ତି।   ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତାଙ୍କର ଘର ବିହାରରେ ବୋଲି ଜଣାପଡ଼ିଛି । ଗତକାଲି ରାତିରେ ଅଶୋକ ନଗର ଅଞ୍ଚଳରେ ନାବାଳିକା ଜଣଙ୍କ ରାସ୍ତାକଡ଼ରେ ପଡ଼ି ଛଟପଟ ହେଉଥିଲେ ।  ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଅଛନ୍ତି। ପୁଲିସ୍ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ଘଟଣା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜଣେ ୧୭ ବର୍ଷର ନାବାଳିକା ଅଶୋକ ନଗର ଅଞ୍ଚଳ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିଲେ ।  କିଛି ଲୋକ ରାତିରେ ତାଙ୍କୁ ଦେଖି ଘଟଣାସ୍ଥଳକୁ ଯାଇ ପୋଲିସକୁ ଖବର ଦେଇଥିଲେ ।  ନାବାଳିକାଙ୍କର ଦେହର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଥିଲା। ପିନ୍ଧିଥିବା ପୋଷାକ ଚିରିଯାଇଥିବା ଦେଖିବାକୁ ମିଳିଥିଲା।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଡାକ୍ତର ଜାଣିବାକୁ ପାଇଥିଲେ ନାବଳିକା ସହ ଦୁଷ୍କର୍ମ ହୋଇଛି । ନାବାଳିକା ଜଣଙ୍କ  ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଘର ବିହାର ରାଜ୍ୟରେ ବୋଲି ନାବାଳିକା କହିଛନ୍ତି ।  ପୋଲିସ୍ ବିଳମ୍ବିତ ରାତିରେ ଗଣବଳାତ୍କାର ଓ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକାର ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି।