ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପି ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ଏବଂ ସାର୍ପ ସୁଟରକୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। ଏହି ମାମଲାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି। ତାଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅନ୍ୟମାନେ ହେଲେ ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ), ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ, ୨ ସାର୍ପ ସୁଟର ଚିଣ୍ଟୁ ପ୍ରଧାନ ଓ ଜଗି ରାଉତ ,ଅନ୍ୟ ଜଣେ ସାର୍ପ ସୁଟର କୁରୁପତି ଭୂୟାଁ ହିଁ ଗୁଳି ଚଳାଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ମାଧ୍ୟମରେ ବିକ୍ରମ ପଣ୍ଡା ସାର୍ପ ସୁଟରଙ୍କ ସହ ଯୋଗାଯୋଗ କରିଥିଲେ। ସାର୍ପ ସୁଟରମାନଙ୍କ ମଧ୍ୟରୁ ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ ଏବଂ କୁରୁପତି ଭୂୟାଁ ଗୁଳି ଚଳାଇଥିଲେ।

କାଲି ରାତିରୁ ପୋଲିସ ବିକ୍ରମ ପଣ୍ଡାଙ୍କୁ ଅଟକ ରଖି ଜେରା କରିବା ପରେ ଆଜି ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିଛି। ଅକ୍ଟୋବର ୬ ତାରିଖ ଦିନ  କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡା ଏସ୍ଏନଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସଷ୍ଟାଣ୍ଡରେ ଥିବା ଏକ ହୋଟେଲକୁ ଯାଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଫେରୁଥିଲେ । ବୈକୁଣ୍ଠନଗର ବୁଲାଣିରେ ଯାଉଥିବା ବେଳେ ହଠାତ୍‌  ଦୁର୍ବୃତ୍ତ ଆସି ଗୁଳି କରିଥିଲେ । ଯେଉଁଥିରେ ସ୍ପଟରେ ହିଁ ଟଳିପଡିଥିଲେ ପୀତବାସ । ଏହି ହତ୍ୟା ପରେ ପୁରା ବ୍ରହ୍ମପୁରରେ ଖେଳିଗଲା ଆତଙ୍କର ମାହୋଲ । କିଏ ଓ କାହିଁକି ପୀତବାସଙ୍କୁ ଗୁଳି କରି ହତ୍ୟା କରିଲା ? ତାକୁ ନେଇ ଆରମ୍ଭ ହେଲା ଛାନ୍‌ଭିନ୍‌ । ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଲା । ଖୋଦ୍‌ ଏସପି ଏହି ଟିମ୍‌ର ନେତୃତ୍ୱ ନେଉଥିଲେ । ସମସ୍ତ ସମ୍ବେଦନଶୀଳ ସ୍ଥାନ ଓ ରାଡାରରେ ଥିବା କିଛି ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରିଲା । ଏହିପରି ଭାବେ ଗୋଟିଏ ପରେ ଗୋଟିଏ ଅଡୁଆ ସୂତା ଖିଅ ବାହାର କରିବାରେ ଲାଗିଥିଲା ପୋଲିସ । ଶେଷରେ ମଙ୍ଗଳବାର ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଦେଲେ ବଡ଼ ବୟାନ । ଦୁଇ ଦିନ ମଧ୍ୟରେ ପୁରା ଘଟଣାର ଖୁଲାସା ହୋଇଯିବ ବୋଲି କହିଥିଲେ । ଶେଷରେ ଆସିଲା ମଙ୍ଗଳବାର ରାତି । ବ୍ରହ୍ମପୁର ରାଜନୀତିରେ ନୂଆ ମୋଡ଼ । ଏକ ବ୍ୟାଙ୍କ କାରବାର ନେଇ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରିଲା ପୋଲିସ । ଏକ ଅଜ୍ଞାତ ସ୍ଥାନରେ ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରା କରିଥିଲା ପୋଲିସ । ଶେଷରେ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କର୍ପୋରେଟର ମଳୟ ବିଶୋଇପୂର୍ବତନ ମେୟର ଶିବଶଙ୍କର ଦାସସାର୍ପ ସୁଟର ଚିଣ୍ଟୁ ଆଦି ରହିଛନ୍ତି ।