ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ପୁଲିସ ସବ୍ ଇନ୍ସପେକ୍ଟର (SI) ନିଯୁକ୍ତି ସ୍କାମ୍ ର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟିଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଛି। ଗଞ୍ଜାମ ଜିଲ୍ଲାର ଏହି ମୁଖ୍ୟ ଅଭିଯୁକ୍ତଙ୍କୁ ନେପାଳ ସୀମାନ୍ତ ଅଞ୍ଚଳରୁ କାବୁ କରାଯାଇଛି। ମାମଲା ପଦାକୁ ଆସିବା ପରେ ଶଙ୍କର ଫେରାର ହୋଇଯାଇଥିଲେ।

ଗାଜିଆବାଦରେ ଥିବା ତାଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଚଢ଼ଉ କରିବା ପରେ ସେ ସେଠାରୁ ନେପାଳ ପଳାଇଥିଲେ। ନିକଟରେ ସେ ନେପାଳରୁ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗରେ ଥିଲେ। ଶଙ୍କର ଓ ତାଙ୍କ ପତ୍ନୀଙ୍କ ଆଗୁଆ ଜାମିନ ଆବେଦନକୁ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଥିଲେ।

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (OPRB) ଦ୍ବାରା ପରିଚାଳିତ ଏହି SI ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି। ପରୀକ୍ଷାର୍ଥୀଙ୍କୁ ଜାମିନି ମିଳିଛି ।  ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ ପରେ ଏହି ମାମଲାରେ ଆହୁରି ଅନେକ ଗୁମର ଖୋଲିବାର ସମ୍ଭାବନା ରହିଛି।

ଗିରଫ ସମୟରେ ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହା ସହିତ ଗାଜିଆବାଦସ୍ଥିତ ତାଙ୍କ ଘରୁ ଗୋଟିଏ ଫର୍ଚୁନର୍‌ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଅନ୍ୟ ଏକ କ୍ରାଇମବ୍ରାଞ୍ଚ ଟିମ୍ ଗାଜିଆବାଦରେ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ଜେରା କରୁଥିବା ବେଳେ ଗିରଫ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କୁ ନେଇ ଟିମ୍ ଓଡ଼ିଶା ଅଭିମୁଖେ ଆସି ଭୁବନେଶ୍ବରରେ ପହଁଚିଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟିର ବଡ଼ ଖୁଲାସା କରିଛି। ପୂର୍ବ ସରକାରରେ SI ପରୀକ୍ଷାରେ ହଜାରେ କୋଟିର ଡିଲ୍‌ ହୋଇଥିବା ସେ ଦାବି କରିଛି । ଯାହାକୁ ନେଇ ରାଜନୀତି ଜୋରଧରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୫ ଜାନୁଆରୀରେ ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ୯୩୩ଟି ଏସ୍ଆଇ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏଥିପାଇଁ ୧.୫୩ ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ। ପରୀକ୍ଷା ଅକ୍ଟୋବର ତାରିଖରେ ହେବାକୁ ଥିବାବେଳେ ସେପ୍ଟେମ୍ବର ୩୦ରେ ଏକ ଅଜ୍ଞାତ ଫୋନ୍ କଲ୍ ଯୋଗୁଁ ବ୍ରହ୍ମପୁର ପୋଲିସ୍ ଓଡ଼ିଶା-ଆନ୍ଧ୍ର ସୀମାରେ ତିନିଟି ଏସି ବସ୍ ଅଟକାଇ ୧୧୭ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରୁ ୧୧୪ ଜଣ ଥିଲେ ଏସ୍ଆଇ ପରୀକ୍ଷାର୍ଥୀ। ଏହି ଘଟଣା ଓଡ଼ିଶାର ସବୁଠାରୁ ବଡ଼ ନିଯୁକ୍ତି ସ୍କାମ୍‌ର ପର୍ଦ୍ଦାଫାସ୍ କରିଛି।
ପୋଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ, ଏକ ଆନ୍ତଃରାଜ୍ୟ ସଂଗଠିତ ଅପରାଧୀ ଗ୍ୟାଙ୍ଗ୍ ଏହି ସ୍କାମ୍‌କୁ ପରିଚାଳନା କରୁଥିଲା। ପ୍ରାର୍ଥୀମାନେ ଆନ୍ଧ୍ରପ୍ରଦେଶର ବିଜୟ ନଗରମ୍‌କୁ ଯାଇ ପ୍ରଶ୍ନପତ୍ର ବିଷୟରେ ସୂଚନା ପାଇଥାନ୍ତେ ।  ପ୍ରତ୍ୟେକ ପ୍ରାର୍ଥୀ ଚାକିରି ପାଇଁ ୨୫ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ – ଆଗୁଆ ୧୦ ଲକ୍ଷ ଓ ଚାକିରି ନିଶ୍ଚିତ ହେଲାପରେ ୧୫ ଲକ୍ଷ। ଏହି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ୱରସ୍ଥିତ ପଞ୍ଚସଫ୍ଟ ଟେକ୍ନୋଲୋଜିଜ୍ କମ୍ପାନୀର ଡାଇରେକ୍ଟର ଶଙ୍କର ପୃଷ୍ଟି। ଯିଏ ଏବେ କ୍ରାଇମବ୍ରାଂଚ କବଜାରେ ।
ସୂଚନାଯୋଗ୍ୟ ଯେ ପରୀକ୍ଷା ପରିଚାଳନା ପାଇଁ କେନ୍ଦ୍ରୀୟ ପିଏସୟୁ ଆଇଟିଆଇ ଲିମିଟେଡ୍‌କୁ ଦାୟିତ୍ୱ ଦିଆଯାଇଥିଲା, ଯାହା ସବ୍-କଣ୍ଟ୍ରାକ୍ଟର ଭାବେ ସିଲିକନ୍ ଟେକ୍‌ଲ୍ୟାବ୍ ଓ ପଞ୍ଚସଫ୍ଟକୁ ନିଯୁକ୍ତି ଦେଇଥିଲା। ଶଙ୍କରଙ୍କ କମ୍ପାନୀ ପ୍ରଶ୍ନପତ୍ର ଲିକ୍ କରି ପ୍ରାର୍ଥୀଙ୍କୁ ଦେଉଥିବା ଅଭିଯୋଗ ହୋଇଛି।