ଯୁଦ୍ଧର ଘନଘଟା ଭିତରେ ଷ୍ଟକ ମାର୍କେଟ ସାଙ୍ଘାତିକ ଭାବେ କ୍ରାସ କରିଛି। ମାତ୍ର କିଛି ମିନିଟ ବ୍ୟବଧାନରେ ନିବେଶକ ହରାଇଛନ୍ତି 11 ଲକ୍ଷ କୋଟି ଟଙ୍କା । ଏଭଳି ସ୍ଥିତି ଲାଗିରହିଲେ ଆଗକୁ ମାର୍କେଟ ଅବସ୍ଥା ଆହୁରି ବିଗିଡ଼ିଯିବ ବୋଲି ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି ।
ଇରାନ-ଆମେରିକା ଯୁଦ୍ଧ ପ୍ରଭାବରେ ସେୟାର ବଜାରରେ ଆଜି ପୁଣି ଏକ ବଡ ଧରଣର କ୍ରାସ୍। ଆଜି ମାର୍କେଟ୍ ଖୋଲିବା ମାତ୍ରେ ମୁମ୍ବାଇ ସୂଚକାଙ୍କ ସେନସେକ୍ସ ୧୭ ଶହ ପଏଣ୍ଟ ଖସି ୭୨ ହଜାର ୮୫୪ରେ ପହଞ୍ଚିଥିଲା। ମିନିଟକ ମଧ୍ୟରେ ନିବେଶକ ୧୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିଲେ। ସେହିପରି ନିଫ୍ଟିରେ ୫୩୨ ପଏଣ୍ଟ ହ୍ରାସ ହୋଇଛି। ମାର୍କେଟ ଖୋଲିବାମାତ୍ରେ ନିଫ୍ଟି ସୂଚକାଙ୍କ ୨୨ ହଜାର ୫୮୨କୁ ଖସିଯାଇଥିଲା।
ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ଭିତରେ ଖସିଲା ସୁନା ଭାଉ। ଲଗାତାର ତଳମୁହାଁ ହୋଇଛି ସୁନା ଦର । ଆଜି ପୁଣି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫ ହଜାର ୯୫୦ ଟଙ୍କା ଖସିଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା କମିଛି ୫ହଜାର ୪୫୦ ଟଙ୍କା । ଏବେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ଲକ୍ଷେ ୨୮ ହଜାର ୩୫୦ ଟଙ୍କା । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୦ ହଜାର ୨୦ ଟଙ୍କା। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଡଲାର ମହଙ୍ଗା ହେବା କାରଣରୁ ନିବେଶକ ସୁନା ବଦଳରେ ଡଲାରରେ ନିବେଶ କରୁଛନ୍ତି।
