ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ବରଗାଁ ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରି ଘରର ପାଇଖାନା ଟାଙ୍କି ଭିତରେ ଲୁଚାଇ ରଖିଥିଲା। ତେବେ ତାଙ୍କର ମାତ୍ର ୪ ବର୍ଷର ପୁଅ ବାପାଙ୍କ ଏହି ଜଘନ୍ୟ କାର୍ଯ୍ୟର ପର୍ଦ୍ଦାଫାସ୍ କରିବା ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଗ୍ରାମବାସୀଙ୍କ ସହାୟତାରେ ପୋଲିସ ପାଇଖାନା ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାକୁ ନେଇ ରାଇଘର ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ସ୍ୱାମୀକୁ ଗିରଫ କରିଛି।ପରିବାର ସୂତ୍ରରୁ ଜଣାପଡ଼ିଛି ଯେ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପୂର୍ବରୁ ଝଗଡ଼ା ଲାଗି ରହିଥିଲା। କିନ୍ତୁ ସ୍ତ୍ରୀ ହଠାତ୍ ନିଖୋଜ ହେବା ପରେ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଥିଲେ। ଛୋଟ ପୁଅ ପୋଲିସ ଓ ଗ୍ରାମବାସୀଙ୍କୁ କହିଥିଲା ଯେ, “ବାପା ମାଆକୁ ମାରି ପାଇଖାନା ଟାଙ୍କିରେ ପକାଇ ଦେଇଛନ୍ତି”।

ପୁଅର ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗ୍ରାମବାସୀ ତୁରନ୍ତ ପାଇଖାନା ଟାଙ୍କି ଖୋଳି ଦେଖିବାରୁ ମୃତଦେହ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ଅଭିଯୁକ୍ତ ସ୍ୱାମୀଙ୍କୁ ଜେରା କରାଯାଉଛି।ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସମାଜରେ ଏପରି ନିର୍ମମ ହତ୍ୟାକାଣ୍ଡକୁ ନିନ୍ଦା କରାଯାଉଛି। ପୋଲିସ କହିଛି ଯେ, ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।