ଓଡ଼ିଶା ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ପୂର୍ବତନ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଆସନ୍ତାକାଲି (ଏପ୍ରିଲ୍ ୧୫) ଠାରୁ ନୂଆ ରାଜନୈତିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିବେ। ଏହି ଉପଲକ୍ଷେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶ ଓ ଲଞ୍ଚିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ମହମ୍ମଦ ମୋକିମ୍ ଏହି ନୂଆ ଦଳର ସଭାପତି ଭାବେ କାର୍ଯ୍ୟ କରିବେ। ଦଳର ମ୍ୟାନିଫେଷ୍ଟୋ ଏବଂ ଲୋଗୋ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯିବ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସମର୍ଥକ ଏବଂ ବିଭିନ୍ନ ରାଜନୈତିକ ପୃଷ୍ଠଭୂମିର ପ୍ରତିନିଧିମାନେ ଏହି ସମାବେଶରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଦଳର ସଦସ୍ୟତା ଅଭିଯାନ ମଧ୍ୟ ଆରମ୍ଭ ହେବ।ମହମ୍ମଦ ମୋକିମ୍ କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ ଏହି ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।

ସେ କହିଛନ୍ତି ଯେ, ଓଡ଼ିଶାରେ ବିଜେଡି ଏବଂ କଂଗ୍ରେସ ଉଭୟ ପ୍ରାସଙ୍ଗିକତା ହରାଇଛନ୍ତି। ଓଡ଼ିଶା ଜନତା କଂଗ୍ରେସ ଏକ ନୂଆ ବିକଳ୍ପ ଭାବେ ଉଭା ହେବ ଏବଂ ରାଜ୍ୟର ବିଭିନ୍ନ ସମସ୍ୟା ବିରୋଧରେ ସ୍ୱର ଉଠାଇବ। ଏହି ନୂତନ ଦଳର ଉଦ୍‌ଘାଟନ ଓଡ଼ିଶା ରାଜନୀତିରେ ଏକ ନୂଆ ଶକ୍ତିର ଉଦୟ ଘଟାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆସନ୍ତାକାଲିର ବିରାଟ ସମାବେଶ ଦଳର ଶକ୍ତି ଏବଂ ଜନସମର୍ଥନର ପରୀକ୍ଷା ହେବ ବୋଲି ମଧ୍ୟ କୁହାଯାଉଛି।