ଦୀର୍ଘ ବର୍ଷ ପରେ କଡ଼ ଲେଉଟାଇଛି ବିହାର ରାଜନୀତି। ବିଜେପି ନେତା ସମ୍ରାଟ ଚୌଧରୀ ଆଜି ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ଜନତା ଦଳ (ୟୁନାଇଟେଡ୍) ସୁପ୍ରିମୋ ନୀତୀଶ କୁମାରଙ୍କ ପ୍ରାୟ ଦୁଇ ଦଶକରୁ ଅଧିକ ସମୟର ଶାସନ ଅଧ୍ୟାୟର ସମାପ୍ତି ଘଟିଛି। ସମ୍ରାଟ ଚୌଧରୀ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ମଙ୍ଗଳବାର ନୀତୀଶ କୁମାର ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବିଜେପି ବିଧାୟକ ଦଳ ଏବଂ ଏନ୍‌ଡିଏ ବିଧାୟକ ଦଳର ସଭାରେ ସମ୍ରାଟ ଚୌଧରୀଙ୍କୁ ସର୍ବସମ୍ମତିରେ ନେତା ଭାବେ ନିର୍ବାଚିତ କରାଯାଇଥିଲା। ଆଜି ସକାଳେ ରାଜ୍ୟପାଳ ସୈୟଦ ଆତା ହାସନେନ୍ ସମ୍ମୁଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଜେଡିୟୁ ନେତା ବିଜୟ କୁମାର ଚୌଧରୀ ଏବଂ ବିଜେନ୍ଦ୍ର ପ୍ରସାଦ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏନ୍‌ଡିଏର ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ସମ୍ରାଟ ଚୌଧରୀ ବର୍ତ୍ତମାନ ବିହାରର ଉପମୁଖ୍ୟମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି ଆସୁଥିଲେ। ତାଙ୍କୁ ବିଜେପିର ଏକ ଶକ୍ତିଶାଳୀ ସଂଗଠନିକ ନେତା ଭାବେ ଗଣନା କରାଯାଏ।

ପୂର୍ବରୁ ସେ ବିଜେପିର ରାଜ୍ୟ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏବେ ବିହାରରେ ବିଜେପିର ସିଧାସଳଖ ନିୟନ୍ତ୍ରଣ ଆରମ୍ଭ ହେବାକୁ ଯାଉଛି।ନୀତୀଶ କୁମାର ୨୦୦୫ ମସିହାରୁ ବିହାର ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ। ଏହି ପରିବର୍ତ୍ତନ ରାଜ୍ୟର ଭବିଷ୍ୟତ ଶାସନ ଏବଂ ବିକାଶ ପାଇଁ ନୂତନ ଅଧ୍ୟାୟର ଆରମ୍ଭ କରିବ ବୋଲି ଆଶା କରାଯାଉଛି।