ଆଜି ଜାପାନର ଉତ୍ତରାଞ୍ଚଳରେ ୭.୪ ମ୍ୟାଗ୍ନିଚୁଡ଼ର ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଯୋଗୁଁ ସୁନାମି ଚେତାବନୀ ଜାରି କରାଯାଇଛି।

ଏନ୍‌ଡିଟିଭି ରିପୋର୍ଟ ଅନୁଯାୟୀ, ଆଜି ସକାଳ ୪:୫୩ ମିନିଟ୍‌ରେ ଉତ୍ତର ଇୱାତେ ପ୍ରିଫେକ୍ଚର ନିକଟରେ ପ୍ରଶାନ୍ତ ମହାସାଗରରେ ଏହି ଭୂକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ର ଇୱାତେ ଉପକୂଳରୁ ପ୍ରାୟ ୧୪୫ କିଲୋମିଟର ଦୂରରେ ଥିଲା ଏବଂ ଏହାର ଗଭୀରତା ପ୍ରାୟ ୩୫ କିଲୋମିଟର ଥିଲା।

ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଟୋକିଓ ସମେତ ଶହ ଶହ କିଲୋମିଟର ଦୂରରେ ଥିବା ବଡ଼ ବଡ଼ ଅଟ୍ଟାଳିକା ଓ ଘରଗୁଡ଼ିକ ଥରି ଉଠିଥିଲା। ଲୋକେ ଭୟରେ ଘର ବାହାରକୁ ଦୌଡ଼ି ଆସିଥିଲେ।ଜାପାନ୍ ପାଣିପାଗ ଏଜେନ୍ସି (Japan Meteorological Agency) ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସୁନାମି ଚେତାବନୀ ଜାରି କରିଛି।

କେତେକ ସ୍ଥାନରେ ୩ ମିଟର ପର୍ଯ୍ୟନ୍ତ ଉଚ୍ଚତାର ସୁନାମି ଲହରୀ ଆସିପାରେ ବୋଲି ଆଶଙ୍କା କରାଯାଉଛି। ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ପଳେଇଯିବାକୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ପ୍ରାଣହାନି ବିଷୟରେ କୌଣସି ସୂଚନା ମିଳିନାହିଁ। ତଥାପି ଅଧିକାରୀମାନେ ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ଏବଂ ପରବର୍ତ୍ତୀ ଭୂକମ୍ପ ଭୟଙ୍କର ହେବାର ଆଶଙ୍କା ରହିଛି।

ଜାପାନ୍ ଭୂକମ୍ପ ପ୍ରବଣ ଦେଶ ହୋଇଥିବାରୁ ଏଠାରେ ଏପରି ଘଟଣା ପ୍ରାୟତଃ ଘଟେ। କିନ୍ତୁ ୭.୪ ମ୍ୟାଗ୍ନିଚୁଡ଼ ଭୂକମ୍ପ ଅତ୍ୟନ୍ତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଅଧିକାରୀମାନେ ଲୋକଙ୍କୁ ଶାନ୍ତ ରହିବାକୁ ଏବଂ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି।