ଆଜି ଦୀପାବଳି  । ଏହି ଅବସରରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ ଆଲୋକର ପର୍ବ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜର ବାର୍ତ୍ତାରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ମୋର ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ପବିତ୍ର ଦୀପାବଳିର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି , ପବିତ୍ର ଦୀପାବଳିର ଅବସରରେ ମୁଁ ଭାରତ ଏବଂ ବିଶ୍ୱର ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ରାଷ୍ଟ୍ରପତି କହିଛନ୍ତି ଯେ ଆନନ୍ଦର ଏହି ପର୍ବ ଆତ୍ମବିଶ୍ବାସର ଏକ ଅବସର। “ମୁଁ ସମସ୍ତଙ୍କୁ ନିରାପଦ, ଦାୟିତ୍ୱପୂର୍ଣ୍ଣ ଏବଂ ପରିବେଶ ଅନୁକୂଳ ଭାବରେ ଦୀପାବଳି ପାଳନ କରିବାକୁ ଅନୁରୋଧ କରୁଛି। ଏହି ଦୀପାବଳି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ,” ଏବଂ ଭାରତ ଏବଂ ବିଶ୍ୱର ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ମୁଖ୍ୟମନ୍ତ୍ରୀ ପୋଷ୍ଟ କରିଛନ୍ତି ‘’ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦୀପାବଳି ଆପଣମାନଙ୍କ ଜୀବନରେ ଜ୍ଞାନର ଆଲୋକ ଭରିଦେଇ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ , ମା’ଙ୍କ ନିକଟରେ ଏହା ହିଁ ମୋର ପ୍ରାର୍ଥନା’’ । ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ସଦ୍ଭାବରେ ଆଲୋକିତ କରୁ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୀପାବଳି ଓ କାଳୀପୂଜା ଓଡ଼ିଶାରେ ଆଲୋକ ଓ ଶକ୍ତିର ପ୍ରତୀକ ରୂପେ ପାଳିତ ହେଉଥିବା ଏକ ବଡ଼ ପର୍ବ। ଏହି ଅବସରରେ ବିଶ୍ଵାସ ଓ ପରମ୍ପରା ଏକାଠି ମିଶି ଏକ ପର୍ବ ସୃଷ୍ଟି ହୋଇଛି ଶହ ଶହ ବର୍ଷ ପୂର୍ବରୁ । କାର୍ତ୍ତିକ ଅମାବାସ୍ୟାରେ ପାଳିତ ହେଉଛି ଦୀପାବଳି , ଆମର ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଆଲୋକର ଉତ୍ସବ ମନାଯାଉଛି ଗାଁ ଓ ସହରରେ । ବିଶ୍ଵାସ ରହିଛି, ଏହି ସମୟରେ ପୂର୍ବପୁରୁଷମାନେ ସ୍ଵର୍ଗରୁ ମର୍ତ୍ତ୍ୟଲୋକକୁ ଆସନ୍ତି ଏବଂ ଶ୍ରାଦ୍ଧ ଓ କାଉଁରିଆ କାଠି ଜାଳି ସେମାନଙ୍କୁ ବିଦାୟ ଦିଆଯାଇଥାଏ। ଏହି ବିଧିକୁ ‘ବଡ଼ବଡ଼ୁଆ ଡାକିବା’ କୁହାଯାଏ । ଘରେ ଘରେ ଶ୍ରାଦ୍ଧ ଅର୍ପଣ କରାଯାଇ ଆଖୁ, ଦୁବ, ବରକୋଳି ପତ୍ର ସହ କାଉଁରିଆ କାଠି ଜାଳି ଆଲୋକ ଦେଖାଯାଇଥାଏ।  ରାସ୍ତାକଡ଼ରେ କାଉଁରିଆ କାଠି, ଆଖୁ, ପଦ୍ମ ଫୁଲ, ବାଳୁଙ୍ଗାଲଟି ଆଦି ଆଜି ବିକ୍ରି ହେଉଛି ।  ଏହା ସହିତ ଦୀପ, ବାଣ, ରଙ୍ଗବେରଙ୍ଗର ଏଲଇଡି ଲାଇଟ୍ ଓ ମିଠା ବଜାରରେ ଅଧିକା ବିକ୍ରି ହେଉଛି ।
ଅନ୍ୟପକ୍ଷେ ଆଜି ବିଭିନ୍ନ ସ୍ଥାନରେ କାଳୀପୂଜା ହେଉଛି ।  ଭୁବନେଶ୍ଵରର ବରମୁଣ୍ଡା, ସତ୍ୟନଗର, ବାପୁଜୀନଗର ଆଦି ମନ୍ଦିରମାନଙ୍କରେ ମା’ ଶ୍ୟାମାକାଳୀଙ୍କ ପୂଜା ଧୁମ୍‌ଧାମରେ ଆରମ୍ଭ ହୋଇଛି । ଅଧିକାଂଶ ଲୋକ ଆଜି ଗାଡ଼ିପୂଜା କରୁଛନ୍ତି ।  ଦୀପାବଳି ଓ କାଳୀପୂଜା କେବଳ ଆଲୋକର ଉତ୍ସବ ନୁହେଁ, ଏହା ଆମ ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧା, ଶକ୍ତି ଉପାସନା ଓ ସାମାଜିକ ସମ୍ପର୍କର ଏକ ଅନୁପମ ସମନ୍ଵୟ।

ଆଜି ଓଡ଼ିଶାରେ ବଡ଼ବଡୁଆ ଡାକ ହେବ । ସଂଧ୍ୟାରେ ଗାଁ ମାନଙ୍କରେ ବଡ଼ବଡ଼ୁଆ ଡାକ ହେବ । ସକାଳୁ କିନ୍ତୁ ପୁରୀ ବଡ଼ଦାଣ୍ଡରେ ବଡ଼ବଡ଼ୁଆ ଡାକ ଚାଲିଛି । ଏଥିପାଇଁ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକୁଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ରହିଛନ୍ତି । ସିଂହଦ୍ଵାର ନିକଟରେ ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ୪ଟି ସ୍ଥାନରେ କାଉଁରିଆ କାଠି ଜାଳି ବଡ଼ବଡୁଆଙ୍କୁ ବିଦାୟ ଜଣାଉଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଚାରିପଟେ ପୟା ଶ୍ରାଦ୍ଧ ଦେଇ ବଡ଼ବଡୁଆଙ୍କୁ ଅନ୍ଧାରରେ ଆସି ଆଲୋକରେ ବିଦାୟ ଦେଉଛନ୍ତି ।