ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନିଜର ୧୨୭ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ଲୋକପ୍ରିୟତା ଉପରେ  କହିଛନ୍ତି ।  ମନ୍ କି ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟକୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ । ଚାକିରି ଛାଡ଼ି କଫି ଚାଷରେ ଅନେକ ମନ ବଳାଉଛନ୍ତି । କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦି ଭୁରି ଭୁରି ପ୍ରଶଂସା କରିଛନ୍ତି ।

କୋରାପୁଟ କଫି ଓଡ଼ିଶାର ଏକ ଅନନ୍ୟ ଐତିହ୍ୟ । ପୂର୍ବ ଘାଟର କୋରାପୁଟ ଜିଲ୍ଲାର ଉଚ୍ଚ ପର୍ବତମାଳା, ଘନ ଜଙ୍ଗଲ ଓ ଉର୍ବର ମାଟିରେ ଏହି କଫି ଉତ୍ପାଦନ ହୋଇଥାଏ। ସମୁଦ୍ର ପତ୍ତନରୁ ୮୦୦ରୁ ୧୫୦୦ ମିଟର ଉଚ୍ଚତାରେ ଅବସ୍ଥିତ ଏହି ଅଞ୍ଚଳର ଶୀତଳ ଜଳବାୟୁ, ପର୍ଯ୍ୟାପ୍ତ ବର୍ଷା ଓ ଛାୟାମୟ ବୃକ୍ଷମାନଙ୍କ ତଳେ ଆରବିକା ଓ ରୋବୁଷ୍ଟା ପ୍ରଜାତିର କଫି ଚାଷ କରାଯାଏ। ଆଦିବାସୀ ସମ୍ପ୍ରଦାୟର କୃଷକମାନେ ପାରମ୍ପରିକ ଜୈବିକ ପଦ୍ଧତିରେ ଏହା ଉତ୍ପାଦନ କରନ୍ତି, ଯାହା ରାସାୟନିକ ସାର ବିନା ହୋଇଥାଏ।କୋରାପୁଟ କଫିର ସ୍ୱାଦ ଅତି ସୁଗନ୍ଧିତ, ମଧୁର ଓ ହାଲୁକା ଅମ୍ଳଯୁକ୍ତ। ଏହାର ଗାଢ଼ ରଙ୍ଗ ଓ ଚକୋଲେଟ୍ ଭଳି ଫ୍ଲେଭର ବିଶ୍ୱବଜାରରେ ପ୍ରଶଂସିତ। ଜିଆଇ ଟ୍ୟାଗ୍ ପ୍ରାପ୍ତ ଏହି କଫି ଭାରତର ପ୍ରଥମ ଜୈବିକ କଫି ଭାବେ ପରିଚିତ। କୋରାପୁଟ କଫି ସହକାରୀ ସଂଘ ଓ ଟ୍ରାଇବାଲ କୃଷକମାନେ ଏହାର ଉତ୍ପାଦନ ଓ ବଜାରକରଣ କରନ୍ତି। ଏହା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରି ହଜାର ହଜାର ପରିବାରକୁ ରୋଜଗାର ଯୋଗାଏ। ବିଦେଶୀ ଦେଶମାନଙ୍କୁ ରପ୍ତାନି ହେଉଥିବା ଏହି କଫି ଓଡ଼ିଶାର ସାଂସ୍କୃତିକ ପରିଚୟକୁ ବିଶ୍ୱସ୍ତରରେ ପହଞ୍ଚାଇଛି। )
ଏହି ଅବସରରେ  ଏହାର ସ୍ବାଦକୁ ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏକ୍ସରେ ଏ ସମ୍ପର୍କରେ ଉଲ୍ଲେଖ କରିବା ସହ କହିଛନ୍ତି ଯେ “କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି । କୋରାପୁଟ କଫି ଚାଷ, ଆମର ଚାଷୀ ଭାଇ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ଏହା ଆମର ଜନଜାତି କୃଷକଙ୍କ ପରିଶ୍ରମ ଏବଂ ଓଡ଼ିଶାର ସମୃଦ୍ଧ କୃଷିକୁ ସଠିକ୍ ସମ୍ମାନ । ଏହା ଆମ ଚାଷୀମାନଙ୍କ ପାଇଁ ଏହି ସ୍ୱୀକୃତି ଅତ୍ୟନ୍ତ ପ୍ରେରଣାଦାୟୀ । ସ୍ଥାନୀୟ ଉତ୍ପାଦ ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୋତ୍ସାହନ ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର ଓଡ଼ିଶା ଓ ଆତ୍ମନିର୍ଭର ଭାରତର ଦିଗରେ ସଶକ୍ତ ପଦକ୍ଷେପ ।

ଶ୍ରୀ ପ୍ରଧାନ ଏହି ଅବସରରେ ଗତ ଜୁଲାଇ ମାସରେ କୋରାପୁଟ ଗସ୍ତ ସମୟରେ ସେଠାକାର କଫି ଗାର୍ଡେନ ପରିଦର୍ଶନ ସହ ଚାଷରେ ନିୟୋଜିତ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିବା ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି, ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି ଏବଂ ବର୍ତ୍ତମାନ ଏହା ଏକ ଲାଭଦାୟକ ଚାଷରେ ପରିଣତ ହୋଇଛି । ବିଶ୍ୱରେ ‘ବ୍ରାଣ୍ଡ୍ କୋରାପୁଟ୍’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ମିଶି ଏହି ଉତ୍କୃଷ୍ଟ କଫିର ଉତ୍ପାଦନ ବୃଦ୍ଧି ଦିଗରେ ସାମୂହିକ ପ୍ରୟାସ କରିବା ଉଚିତ୍।

ଏହାବ୍ୟତୀତ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ରେ ଆୟୋଜିତ ରନ୍ ଫର୍ ୟୁନିଟିରେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିବା ବନ୍ଦେ ମାତାରମର ରଚନା ଉପରେ ମଧ୍ୟ ସେ ଏକ୍ସରେ ଉଲ୍ଲେଖ କରିଛନ୍ତି ।