ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଉ ୨୪ଘଣ୍ଟା ଭିତରେ ଭୟଙ୍କର ରୂପ ଧାରଣ କରିବ। ମଙ୍ଗଳବାର ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ।
ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ । ୨୭ ତାରିଖ ସୋମବାରଠାରୁ ୪ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଜିଲାକୁ ବାତ୍ୟା ଓ ବର୍ଷା ଆଲର୍ଟ ଜାରି କରାଯାଇଛି। ବାତ୍ୟାର ପ୍ରକୋପ ୧୫ ଜିଲା ଉପରେ ଅଧିକ ରହୁଥିବାରୁ ସେଠାରେ ସଜାଗ ରହିବାକୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିି।
ସାମୁଦ୍ରିକ ବାତ୍ୟାର ମୁକାବିଲା ପାଇଁ ଓଡ଼ଶା ସରକାର ପ୍ରସ୍ତୁତି କରିଛନ୍ତି। ବାତ୍ୟା ଏବେ ସ୍ଥଳଭାଗ ଠାରୁ ୯୩୦ କିଲୋମିଟର ଦୂରରେ ଥିବା ବେଳେ ଏହା ଘଣ୍ଟା ପିଛା ୬ କିଲୋମିଟର ବେଗରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେବ । ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି।
ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଥିବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ଅକ୍ଟୋବର ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ୨୭ରୁ ୨୯ ମଧ୍ୟରେ ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆନ୍ଧ୍ରପ୍ରଦେଶର ମଛଲିପାଟନମ ଏବଂ କଳିଙ୍ଗପାଟଣା ମଝିରେ ଏହା ସ୍ଥଳଭାଗ ସ୍ପର୍ଶ କରିବ। ଓଡ଼ିଶାରେ ବାତ୍ୟାର ପ୍ରଭାବ ନରହିଲେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ।
ଲୋକଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
