ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ ଓଡ଼ିଶା ଆଡ଼କୁ ଆଗେଇ ଆସୁଛି । ଏହି ସମୟରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ଏହା ସହ ଏଭଳି ବିପତ୍ତି ସମୟରେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ କହିଛନ୍ତି ।
ନବୀନ କହିଛନ୍ତି, ‘‘ଆପଣ ଜାଣନ୍ତି ବାତ୍ୟା ମୋନ୍ଥା ଆସୁଛି। ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସଦାବେଳେ ସତର୍କ ରୁହନ୍ତୁ। ପ୍ରଶାସନକୁ ପୂରା ସହଯୋଗ କରନ୍ତୁ।’’ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କୁ ଏହି ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ପୂର୍ବରୁ ଫନି, ତିତଲି ଆଦି ଭୟଙ୍କର ବାତ୍ୟାର ସଫଳତାର ସହ ମୁକାବିଲା କରିଛି । ଏଥର ମଧ୍ୟ ସମସ୍ତେ ଏକାଠି ହୋଇ ଏହାକୁ ପରାସ୍ତ କରିପାରିବା। ବିଜେଡି କର୍ମୀଙ୍କୁ ବିଶେଷ ଅନୁରୋଧ କରି ନବୀନ କହିଛନ୍ତି, ‘‘ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ। ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯ୍ୟୟର ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା।’’
ବାତ୍ୟା ‘ମୋନ୍ଥା’ ଓଡ଼ିଶା ଉପକୂଳକୁ ପ୍ରଭାବିତ କରିବାର ସମ୍ଭାବନା ରହିଥିବାରୁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ନବୀନଙ୍କ ଏହି ଅନୁରୋଧକୁ ସୋସିଆଲ ମିଡିଆରେ ୟୁଜରମାନେ ବେଶ ପ୍ରଶଂସା କରୁଥିବା ଦେଖାଯାଇଛି ।



















