ଖୋର୍ଦ୍ଧା: ଜୀବନ ରୂପକ ପବନ କେତେବେଳେ ଉଡିଯିବ ତାହା କେହି ଜାଣନ୍ତି ନାହିଁ। କିନ୍ତୁ କିଛି ବ୍ୟକ୍ତି ନିଜ ମୃତ୍ୟୁ ପୂର୍ବରୁ ଅନ୍ୟମାନଙ୍କ ଜୀବନ ରକ୍ଷା କରି ନିଆରା ଉଦାହରଣ ସୃଷ୍ଟି କରନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ଆଜି ସେହିଭଳି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ଜଣେ ବସ ଡ୍ରାଇଭର ନିଜ ଜୀବନ ହରାଇ ପ୍ରାୟ ୭୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ମୃତ ବସ ଡ୍ରାଇଭର ଜଣକ ହେଲେ ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ଅଧୀନ ଗୋଡ଼ିଆଳି ଗାଁର ବାସିନ୍ଦା ଶରତ ଚନ୍ଦ୍ର ମାର୍ଥା (୫୫)। ଶରତ ମାର୍ଥା ସବୁ ଦିନ ଭଳି ଆଜି ମଧ୍ୟ ଭୁବନେଶ୍ୱର ବରମୁଣ୍ଡାରୁ ‘ବିଶାଖା’ ନାମକ ଏକ ଯାତ୍ରୀବାହୀ ବସ ନେଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଭିମୁଖେ ଯାଉଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ବୋଲଗଡ଼ରେ ପହଞ୍ଚିବା ପୂର୍ବରୁ ହଠାତ୍ ତାଙ୍କର ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା।
ଗୁରୁତର ଅସୁସ୍ଥତା ସତ୍ତ୍ୱେ ଶରତ ଚନ୍ଦ୍ର ମାର୍ଥା ଉପସ୍ଥିତ ବୁଦ୍ଧି ଖଟାଇଥିଲେ । ବସ୍ ଭାରସାମ୍ୟ ହରାଇବାକୁ ଦେଇ ନଥିଲେ। ସେ ବସକୁ ନିୟନ୍ତ୍ରଣ କରି ବୋଲଗଡ଼ ବସଷ୍ଟାଣ୍ଡରେ ସୁରକ୍ଷିତ ଭାବେ ପହଞ୍ଚାଇ ଅଟକାଇ ଦେଇଥିଲେ। ଯଦି ସେ ଏଭଳି ଦୃଢ଼ ନିଷ୍ପତ୍ତି ନେଇ ନଥାନ୍ତେ, ତେବେ ବସରେ ଥିବା ପ୍ରାୟ 40 ଜଣ ଯାତ୍ରୀ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତେ।
ଅଧିକ ଅସୁସ୍ଥ ହୋଇଯିବାରୁ ବସ୍ ହେଲପର ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଶରତଙ୍କୁ ଏକ ଅଟୋ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶରତ ଚନ୍ଦ୍ର ମାର୍ଥାଙ୍କ ଦୁଃଖଦ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକମାନେ ତାଙ୍କର ସାହସିକତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ତାଙ୍କର ସ୍ତ୍ରୀ ଏବଂ ଦୁଇ ପିଲା ଅନାଥ ହୋଇଯାଇଥିବାରୁ ଏଭଳି ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ସାଧାରଣରେ ଦାବି କରାଯାଇଛି।




















