ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ୍ ବୁକିଂ ନିଷ୍ପତ୍ତି ପୁନଃବିଚାର କରିବା ପାଇଁ ଏକ ବଡ଼ ସୁଯୋଗ ଦେବାକୁ ଯୋଜନା କରୁଛି। ଡିଜିସିଏ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ସେମାନଙ୍କ ବିମାନ ଟିକେଟ୍ ଫେରସ୍ତ, ପୁନଃନିର୍ଦ୍ଧାରିତ କିମ୍ବା ବାତିଲ୍ କରିବା ପାଇଁ ୪୮ ଘଣ୍ଟାର ସମୟସୀମା ପ୍ରସ୍ତାବ ଦେଇଛି।
ଏହି ପ୍ରସ୍ତାବକୁ ଡିଜିସିଏ ଲୁକ୍-ଇନ୍-ଅପ୍ସନ୍ ଭାବରେ ବର୍ଣ୍ଣନା କରିଛି । ଯାହା ଟିକେଟ୍ କ୍ରୟ ପରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯାତ୍ରୀମାନଙ୍କୁ ସେମାନଙ୍କ ବୁକିଂ ନିଷ୍ପତ୍ତି ପୁନଃବିଚାର କରିବାର ସୁଯୋଗ ଦେଇପାରିବ । ଏହା ଦ୍ବାରା ଟିକେଟ୍ ବୁକିଂର ଠିକ୍ ପରେ ପରେ ଯାତ୍ରୀମାନେ ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ୍ କରିପାରିବେ କିମ୍ବା ପୁନଃନିର୍ଦ୍ଧାରିତ କରିପାରିବେ। ଏହି ପ୍ରସ୍ତାବ ଟିକେଟ୍ କିଣିବା ପରେ ଯାତ୍ରୀମାନଙ୍କୁ ଅଧିକ ସୁବିଧା ଏବଂ ନିଷ୍ପତ୍ତି ନେବାରେ ସ୍ୱାଧୀନତା ପ୍ରଦାନ କରିବାରେ ସହାୟକ ହୋଇପାରିବ ।
ତେବେ ପାଞ୍ଚ ଦିନରୁ କମ୍ ସମୟ ମଧ୍ୟରେ ପ୍ରସ୍ଥାନ କରିବାକୁ ଥିବା ଘରୋଇ ବିମାନ ପାଇଁ ଏହି ପ୍ରସ୍ତାବ ଲାଗୁ ହେବ ନାହିଁ। ଆନ୍ତର୍ଜାତୀୟ ବିମାନ ଯାହା କି ୧୫ ଦିନରୁ କମ୍ ସମୟ ମଧ୍ୟରେ ପ୍ରସ୍ଥାନ କରିବାକୁ ଥିବ, ସେ କ୍ଷେତ୍ରରେ ଲାଗୁ ହେବ ନାହିଁ । ଆନ୍ତର୍ଜାତୀୟ ବିମାନ ପାଇଁ ମଧ୍ୟ ଏହି ବିକଳ୍ପ ଉପଲବ୍ଧ ହେବ ନାହିଁ। ଏହି ପ୍ରସ୍ତାବ ଉପରେ ଜନସାଧାରଣଙ୍କଠାରୁ ମତାମତ ଆମନ୍ତ୍ରଣ କରାଯାଇଛି। ଗ୍ରାହକ ଏବଂ ବିମାନ ଯାତ୍ରୀମାନେ ମାସ ଶେଷ ସୁଦ୍ଧା ସେମାନଙ୍କର ମତାମତ ନିର୍ଦ୍ଦେଶାଳୟକୁ ଦେଇପାରିବେ।
ଏତଦ୍ ବ୍ୟତୀତ, ଟ୍ରାଭେଲ୍ ଏଜେଣ୍ଟମାନଙ୍କ ମାଧ୍ୟମରେ ଟିକେଟ୍ ବୁକ୍ କରୁଥିବା ଗ୍ରାହକମାନଙ୍କ ପାଇଁ ମଧ୍ୟ ଡିଜିସିଏ ସମୟାନୁସାରେ ରିଫଣ୍ଡ ପ୍ରକ୍ରିୟା ଲାଗୁ କରିବାକୁ ଚାହୁଁଛି। ଏହି ନିଷ୍ପତ୍ତି ଦ୍ୱାରା ଟ୍ରାଭେଲ୍ ଏଜେଣ୍ଟମାନଙ୍କ ଉପରେ ରିଫଣ୍ଡ ପାଇଁ ଚାପ ବୃଦ୍ଧି ପାଇବ ଏବଂ ଯାତ୍ରୀମାନଙ୍କ ଅର୍ଥ ଠିକ୍ ସମୟରେ ଫେରସ୍ତ ହୋଇପାରିବ । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଭାରତୀୟ ବିମାନ ଯାତ୍ରୀଙ୍କ ଅଧିକାର ଦୃଢ଼ ହୋଇପାରିବ । ଏହା ସହ ବିମାନ ସେବାରେ ଅଧିକ ସ୍ୱଚ୍ଛତା ଆସିପାରିବ ବୋଲି ଆଶା କରାଯାଉଛି।
ତେବେ ଏହା ଲାଗୁ ହେଲେ କିଛି ରିସ୍କ ହୋଇପାରେ । ୪୮ ଘଣ୍ଟା ମଧ୍ୟରେ କୌଣସି ଶୁଳ୍କ ବିନା ରିଫଣ୍ଡ ମିଳିବାର ପ୍ରତିଶ୍ରୁତି ଯାତ୍ରୀମାନଙ୍କୁ ବିନା ଦ୍ୱିଧାରେ ବୁକିଂ କରିବାକୁ ଉତ୍ସାହିତ କରିପାରେ । କାରଣ ଯୋଜନା ବଦଳିଲେ ବା ଅନ୍ୟ କୌଣସି କମ୍ପାନୀରେ କମ୍ ଦାମ୍ ମିଳିଲେ, ଯାତ୍ରୀମାନେ ଅଧିକ ସଂଖ୍ୟାରେ ଟିକେଟ୍ ବାତିଲ କରିପାରନ୍ତି। ଫଳରେ, ବିମାନ କମ୍ପାନୀଗୁଡ଼ିକର ନେଟ୍ ରାଜସ୍ୱ ହ୍ରାସ ପାଇବାର ସମ୍ଭାବନା ରହିଛି।
ଏହା ସହ ଟିକେଟ୍ କାଟିବା ପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ସେହି ଆସନ ବାତିଲ୍ ହୋଇପାରେ ବୋଲି ଏକ ‘ଅନିଶ୍ଚିତତା’ ରହିବ। ଯଦି ଉଡ଼ାଣର କିଛି ଦିନ ପୂର୍ବରୁ , ଘରୋଇ ଉଡ଼ାଣର ୫ ଦିନ ପୂର୍ବରୁ ବାତିଲ ହୁଏ, ତେବେ ସେହି ସିଟ୍କୁ ଶେଷ ମୁହୂର୍ତ୍ତରେ ଅଧିକ ଦାମରେ ବିକ୍ରି କରିବାର ସୁଯୋଗ କମ୍ପାନୀ ହରାଇବାର ସମ୍ଭାବନା ରହିବ ।
















