କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଆଜି ଭୁବନେଶ୍ବରରେ ଆୟୋଜିତ ଭାରତୀୟ ରୋଡ କଂଗ୍ରେସର ୮୪ତମ ଅଧିବେଶନରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତକୁ ବିଶ୍ବଗୁରୁ କରାଯିବାର ଲକ୍ଷ୍ୟ ରଖାଯାଇଛି। ଭାରତ ଏବେ ଅନ୍ୟ ଦେଶରୁ ତେଲ ଆମଦାନୀ କରୁଛି। କିନ୍ତୁ ଭାରତର ଲକ୍ଷ୍ୟ ଯେ, ଆଗାମୀ ଦିନରେ ତେଲ ରପ୍ତାନୀ କରିବ। ଭାରତରେ ଇଥାନୋଲ, ମେଥାନୋଲ, ବାଓ-ଏଲ୍ଏନ୍ଜି, ସିଏନ୍ଜି ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଦେଶର କିଛି ରାଜ୍ୟରେ ପ୍ରଥମେ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ, ଯେଉଁଥିରେ ଓଡ଼ିଶା ମଧ୍ୟ ସାମିଲ ରହିଛି। ସରକାର ସଡ଼କୁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥି ପାଇଁ ଅତ୍ୟାଧୁନିକ ଶୈଳୀରେ ରାସ୍ତା ନିର୍ମାଣ କରୁଛନ୍ତି। ଜନସାଧାରଣଙ୍କର ସୁରକ୍ଷା ପାଇଁ ଇଣ୍ଟଲିଜିଏଣ୍ଟ ପରିବହନ ବ୍ୟବସ୍ଥା ଏବଂ ଜାତୀୟସ୍ତରରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।




















