ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ାରେ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ଆଜି ରୋଡ୍ ସୋ’ ପରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ନବୀନ କହିଛନ୍ତି ବିଜେପିକୁ କ୍ଷମତା ମିଳିବାର ୧୫ ମାସ ଅତିକ୍ରମ କରିଛି। କିନ୍ତୁ ଏହି ସମୟ ମଧ୍ୟରେ ସରକାର କିଛି କରି ନାହାନ୍ତି। କେବଳ ପ୍ରଚାରରେ ବିକାଶ ହୁଏନି କହିଛନ୍ତି ନବୀନ । ଜନସାଧାରଣଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି, ବିଜେଡିର ଶାସନ କାଳରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। ସରକାର ବଦଳିବା ପରେ ବିକାଶରେ ବାଧା ଉପୁଜିଛି। ନୂଆ ସରକାର କେବଳ ମିଛ ପ୍ରଚାର କରୁଛନ୍ତି। ରଂଗମରା ବିକାଶ କାମ କରୁଛନ୍ତି। ବିଜେପି କ୍ଷମତାକୁ ଆସିଲେ ପରିବାର ପିଛା ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦେବ ବୋଲି କହିଥିଲା। ବରିଷ୍ଠ ନାଗରିକଙ୍କୁ ୩୫୦୦ ଟଙ୍କା ପେନ୍ସନ ମିଳିଲା କି? ଚାଷୀଭାଇମାନଙ୍କୁ ୟୁରିଆ ସାର ମିଳିଲା କି? ମିସନ ଶକ୍ତି ମା’ମାନଙ୍କୁ ଋଣ ମିଳୁଛି କି? କଟନି ଛଟନି ବନ୍ଦ ହେଲା କି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ନୂଆ ସରକାରରେ କେବଳ ଧୋକ୍କା ମିଳିଛି। ରାଜ୍ୟବାସୀଙ୍କୁ ଡବଲ ଧୋକା ମିଳିଛି।




















