ପୁରୀ: ବିଶ୍ୱାସ ଆଉ ଭକ୍ତିର ଅସାଧ୍ୟ ସାଧନା ପୁଣି ଥରେ ଦେଖିବାକୁ ମିଳିଛି ଶ୍ରୀମନ୍ଦିର ନିକଟରେ। ଯେଉଁଠି ଡାକ୍ତରମାନେ ନିରାଶ ହୋଇଯାଇଥିଲେ, ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନୂଆ ଜୀବନ ଦେଇଛନ୍ତି। ରାଜସ୍ଥାନର ବାନ୍ସୱାଡ଼ାର ଜଣେ ଦିନ ମଜୁରିଆ ପ୍ରକାଶ କୁମାର ଭୋଇଙ୍କ ୬ ବର୍ଷର ପୁଅ ନିଖିଳ ବର୍ଷେ ଧରି କୋମାରେ ଥିଲା ଏବଂ ଶରୀର ନିଶ୍ଚଳ ହୋଇଯାଇଥିଲା। ଚିକିତ୍ସା ପରେ ଡାକ୍ତରଙ୍କ ଠାରୁ କୌଣସି ଆଶା ନ ପାଇବା ପରେ, ପ୍ରକାଶ ଭଗବାନଙ୍କ ଶରଣ ପଶିଥିଲେ।
ମହାପ୍ରଭୁଙ୍କ ନିକଟରେ ଗୁହାରି, ୧୪ ଦିନ ପରେ ଚମତ୍କାର
ପ୍ରକାଶ କୁମାର ଭୋଇ ପୁଅକୁ ଧରି ରାଜସ୍ଥାନରୁ ସିଧା ପୁରୀ ଦୌଡ଼ି ଆସିଥିଲେ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୁଅ ନିଖିଳକୁ ରଖି ଲୋତକ ଭରା ଆଖିରେ ମହାପ୍ରଭୁଙ୍କୁ ନିଜ ପୁଅର ଜୀବନ ଭିକ୍ଷା ମାଗିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ, ଠିକ୍ ୧୪ ଦିନ ପରେ ଚମତ୍କାର ଘଟିଛି। ଯେଉଁ ଶରୀରରେ ଡାକ୍ତର ଆଶା ଛାଡ଼ି ଦେଇଥିଲେ, ସେହି ନିଖିଳ ଧୀରେ ଧୀରେ କୋମାରୁ ସୁସ୍ଥ ହେବାରେ ଲାଗିଛି। ଏହି ଚମତ୍କାର ପରେ ଦିନ ମଜୁରିଆ ବାପା ପ୍ରକାଶ କୁମାର ଭୋଇ ପୁଣି ଥରେ ପୁଅକୁ ଧରି ମହାପ୍ରଭୁଙ୍କ ନିକଟକୁ ଦୌଡ଼ି ଆସିଛନ୍ତି ଏବଂ କୃତଜ୍ଞତା ଜଣାଇଛନ୍ତି। ଶ୍ରୀଜଗନ୍ନାଥଙ୍କ ଚମତ୍କାରକୁ ସମସ୍ତେ ସ୍ୱୀକାର କରୁଥିବା ବେଳେ, ଶିଶୁ ରୋଗ ବିଶେଷଜ୍ଞ ଏବଂ ମାନସିକ ରୋଗ ବିଶେଷଜ୍ଞମାନେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ବିଶ୍ୱାସ ଏବଂ ଭଗବାନଙ୍କୁ ସମର୍ପଣ ଭଲ କଥା, କିନ୍ତୁ ତା’ ସାଙ୍ଗକୁ ଡାକ୍ତରୀ ପରାମର୍ଶ ଏବଂ ଚିକିତ୍ସା ନିହାତି ଜରୁରୀ। ବିଶେଷଜ୍ଞମାନେ କହିଛନ୍ତି ଯେ ଭଗବାନ ମଧ୍ୟ କହିଛନ୍ତି, ଭକ୍ତି ସହ କର୍ମ ଜରୁରୀ। ତେଣୁ ଭଗବାନଙ୍କୁ ଡାକିବା ସହିତ ରୋଗୀଙ୍କୁ ଡାକ୍ତରୀ ଚିକିତ୍ସା ନିତାନ୍ତ ଆବଶ୍ୟକ।


















