ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆସନ୍ତା କାଲିଠୁ ତିନି ଦିନିଆ ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ 2025 ଆୟୋଜିତ ହେବ । 7 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । ପ୍ରଥମ ଥର ପାଇଁ ଭାରତରେ ଏଭଳି ସମ୍ମିଳନୀ ହେଉଛି । ଏଥିରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ ଭି ସିଂହଦେଓ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ୟ ରହିଛି ଶୂନ କାର୍ବନ ନିର୍ଗମନ । ଏହି ଲକ୍ଷ୍ୟ ପୂରଣ ପାଇଁ ଆମେ ସମସ୍ତେ କାର୍ଯ୍ୟ କରୁଛୁ ଏବଂ ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଭାରତର ଅନେକ ରାଜ୍ୟର ଶକ୍ତିମନ୍ତ୍ରୀ ମାନେ ଯୋଗଦେବେ ଏବଂ ଅଧିବେଶନକୁ ସମ୍ବୋଧିତ ମଧ୍ୟ କରିବେ। ଏହି ପରିପ୍ରେକ୍ଷୀରେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ଭାରତର ଶକ୍ତି କ୍ଷେତ୍ରରେ ନିବେଶ ତଥା ପ୍ରୋତ୍ସାହନ ନିମନ୍ତେ ଏକ ସୁନ୍ଦର ପ୍ଲାଟଫର୍ମ ଯୋଗାଇ ଦେବ ଏବଂ ପରିବେଶ ସହିତ ଅର୍ଥନୀତିର ସାମଞ୍ଜସ୍ୟ ରଖି ଉତ୍କୃଷ୍ଟ ଓଡିଶା ଗଠନ ଦିଗରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ ରହିଛି। ଏଥିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଦର୍ଶନ ମଧ୍ୟ ହେବ।
କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସମ୍ମିଳନୀରେ ଯୋଗ ଦେବେ । ଭାରତର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା ହେବ । ଏଥିସହ ଏହି କ୍ଷେତ୍ରରେ ଅଭିବୃଦ୍ଧିର ବିସ୍ତୃତ ସମ୍ଭାବନା ସମ୍ପର୍କରେ ମଧ୍ୟ ବର୍ଣ୍ଣନା ହେବ । ଦେଶରେ ବୃଦ୍ଧି ପାଉଥିବା ଶକ୍ତି ଚାହିଦା ଏବଂ ପରିବେଶ ଜନିତ ଲକ୍ଷ୍ୟ ହାସଲ କରିବା ପାଇଁ ଅକ୍ଷୟ ଶକ୍ତି ପଦକ୍ଷେପକୁ ବ୍ୟାପକ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋଚନା କରାଯିବ ।




















