ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ବିଧାୟକଙ୍କ ବର୍ଧିତ ଦରମାକୁ ନେଇ ଏକ ଅଭାବନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦେଖି ଶାସକ ବିଜେପି ଏବେ ନିଜ ନିଷ୍ପତ୍ତି ବଦଳାଇଛି।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବିଧାୟକ ଏକ ସ୍ୱରରେ ବର୍ଦ୍ଧିତ ଦରମାର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, “ବିଜେପି ସବୁବେଳେ ଲୋକଙ୍କ ମତାମତକୁ ସମ୍ମାନ ଦିଏ। ବିଧାୟକମାନଙ୍କ ଦରମା ବୃଦ୍ଧିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଛି, ତାକୁ ଆମେ ଗ୍ରହଣ କରିଛୁ।”
ଉଲ୍ଲେଖଯୋଗ୍ୟ ଯେ, ଗତ ଡିସେମ୍ବର ୯ ତାରିଖରେ ୧୭ତମ ବିଧାନସଭା ଅଧିବେଶନରେ ଏହି ବିଧେୟକ ପାରିତ ହୋଇଥିଲା, ଯେଉଁଥିରେ ସବୁ ଦଳର ସମର୍ଥନ ରହିଥିଲା। ମାତ୍ର ବର୍ତ୍ତମାନର ପରିସ୍ଥିତିରେ ନିଜ ସୁବିଧାକୁ ତ୍ୟାଗ କରି ଲୋକଙ୍କ ସହ ଛିଡ଼ା ହେବାର ଏହି ପ୍ରୟାସକୁ ରାଜନୈତିକ ମହଲରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି। ଏହି ନିଷ୍ପତ୍ତି ଓଡ଼ିଶା ରାଜନୀତିର ଭବିଷ୍ୟତ ଉପରେ କି ପ୍ରଭାବ ପକାଉଛି, ତାହା ଆଗାମୀ ସମୟ କହିବ। ବୈଠକରେ ବିଜେପି ବିଧାୟକମାନେ ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଦଳର ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ବୈଠକରେ ବି ଆଲୋଚନା ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଦଳକୁ ପ୍ରସ୍ତୁତ କରିବା, ନିଗମ ଅଧ୍ୟକ୍ଷ ପଦବୀ ପୂରଣ ଆଦି ନେଇ ବି ଏଥିରେ ଆଲୋଚନା ହେଉଥିବା କୁହାଯାଉଛି। ଦଳ ସଂଗଠନ ଓ ସରକାର ମଧ୍ୟରେ ସମନ୍ବୟ ରକ୍ଷା କରାଯିବା ନେଇବି ଏଥିରେ ଆଲୋଚନା ହେଉଥିବାର ସୂଚନା ରହିଛି। ତେଣୁ ଆଜି ବୈଠକରେ କଣ ଆଲୋଚନା ହେଉଛି ତାଉପରେ ରହିଛି ନଜର।




















