ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଏକ ବଡ଼ ଧରଣର ଅଦଳବଦଳର ସଙ୍କେତ ମିଳୁଛି। ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟରେ ହୋଇଥିବା ନିକଟତର ଭେଟଘାଟ ଏବେ ଓଡ଼ିଶା ଆକାଶରେ ଏକ ‘ନୂଆ ଆଞ୍ଚଳିକ ଦଳ’ର କଳ୍ପନା ଜଳ୍ପନାକୁ ଖୋରାକ ଯୋଗାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅସନ୍ତୁଷ୍ଟ ଏବଂ ପରାଜିତ ବିଜେଡି ନେତାଙ୍କ ‘ଚନ୍ଦକା ଭୋଜି’ ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।
ସମୀକରଣ ବଦଳାଉଛି ‘ବନ୍ଧୁମିଳନ’
କିଛି ଦିନ ପୂର୍ବରୁ ବିଜୟ ମହାପାତ୍ରଙ୍କ ବାସଭବନରେ ମହମ୍ମଦ ମୋକିମଙ୍କ ସାକ୍ଷାତକାର କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ନଥିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ଆଲୋଚନା ଓଡ଼ିଶାରେ ବିଜେପି ଏବଂ ବିଜେଡି ବ୍ୟତୀତ ଏକ ‘ବିକଳ୍ପ ଶକ୍ତି’ ଗଠନ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହୋଇପାରେ।
ବିଜେଡି ନେତାଙ୍କ ‘ଫାର୍ମହାଉସ୍ ଭୋଜି’ରେ ମିଳିଲା ସଙ୍କେତ
ଆଜି ଚନ୍ଦକା ନିକଟସ୍ଥ ଏକ ଫାର୍ମହାଉସ୍ରେ ବିଜେଡିର ପ୍ରାୟ ୪୦ରୁ ଅଧିକ ବରିଷ୍ଠ ତଥା ପରାଜିତ ନେତାଙ୍କ ଏକତ୍ରିକରଣ ଏହି ନୂଆ ଦଳ ଗଠନର ଚର୍ଚ୍ଚାକୁ ସତ୍ୟତା ପ୍ରଦାନ କରୁଛି। ପ୍ରାୟତଃ ଦଳରେ ନିଜକୁ ସାଇଡ୍ଲାଇନ୍ ଅନୁଭବ କରୁଥିବା ଏହି ନେତାମାନେ ଏକାଠି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି।



















