ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ରାଜ୍ୟର ଆଦିବାସୀମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କହିବା ଅନୁସାରେ, ଆଦିବାସୀମାନେ କେବଳ ହିତାଧିକାରୀ ନୁହନ୍ତି, ସେମାନେ ପ୍ରଗତିର ସହଭାଗୀ।
ଦ୍ୱିଭାଷୀ ରେକର୍ଡ ଅଫ୍ ରାଇଟ୍ସ (RoR): ଆଦିବାସୀଙ୍କ ଜମି ପଟ୍ଟା ବା ରେକର୍ଡ ଅଫ୍ ରାଇଟ୍ସ ଏବେ ଓଡ଼ିଆ ଏବଂ ଇଂରାଜୀ— ଉଭୟ ଭାଷାରେ ଲେଖାଯିବ। ଏହା ଦ୍ୱାରା ସୂଚନା ପାଇବା ଏବଂ କାର୍ଯ୍ୟଧାରାରେ ସ୍ୱଚ୍ଛତା ଆସିବ।
ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା: ଆଦିବାସୀ ଗ୍ରାମର ପୂଜକମାନଙ୍କ ପାଇଁ ମାସିକ ଭତ୍ତା (Honorarium) ବ୍ୟବସ୍ଥା ଏବଂ ସେମାନଙ୍କ ପୂଜାସ୍ଥଳୀଗୁଡ଼ିକର ସୁରକ୍ଷା ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରସ୍ତାବ ଦେଇଛନ୍ତି।
ଏକଲବ୍ୟ ସ୍କୁଲରେ କଳା ଓ ବାଣିଜ୍ୟ: ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲଗୁଡ଼ିକରେ କେବଳ ବିଜ୍ଞାନ ନୁହେଁ, ବରଂ କଳା (Arts) ଓ ବାଣିଜ୍ୟ (Commerce) ବିଷୟ ରଖିବା ପାଇଁ ସୁପାରିସ କରାଯାଇଛି।
ପେସା (PESA) ନିୟମାବଳୀ: ପେସା ଅଧିନିୟମର ଓଡ଼ିଶାଭିତ୍ତିକ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ ଏକ ଆନ୍ତଃବିଭାଗୀୟ କମିଟି ଗଠନ କରାଯାଇଛି, ଯାହା ପରବର୍ତ୍ତୀ ବୈଠକରେ ନିଜର ସୁପାରିସ ଦାଖଲ କରିବ।
ନୂଆ ସମ୍ପ୍ରଦାୟଙ୍କୁ ଏସ୍ଟି ତାଲିକାରେ ସାମିଲ: ଅଧିକ କିଛି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ପାଇଁ SCSTRTI କୁ ଏକ ବିସ୍ତୃତ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଇକୋ-ଟୁରିଜିମ୍ ଓ ହୋମ୍ଷ୍ଟେ: ଆଦିବାସୀ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଏବଂ ସେମାନଙ୍କ ଅର୍ଥନୀତିକୁ ମଜବୁତ କରିବା ପାଇଁ ଇକୋ-ଟୁରିଜିମ୍ ଏବଂ ଟ୍ରାଇବାଲ ହୋମ୍ଷ୍ଟେକୁ ପ୍ରୋତ୍ସାହନ ଦିଆଯିବ।
















