ଭୁବନେଶ୍ୱର: ବିଜୁ ଜନତା ଦଳର 29 ତମ ପ୍ରତିଷ୍ଠା ଦିବସରେ ଆଜି ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ “ଦଳ ୧୦୦ ବର୍ଷ ରହିବ” ବୋଲି କହୁଥିବା ବେଳେ, କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ନିଜ ଦଳର ହେଭିୱେଟ୍ ନେତାଙ୍କ ବିରୋଧରେ ବିଷୋଦଗାର କରି ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇଛନ୍ତି।
ପ୍ରଭାତ ସିଧାସଳଖ ଦଳର ପ୍ରଭାବଶାଳୀ ନେତା ବବି ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ, ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କ ନାଁ ନେଇ ବର୍ଷିଛନ୍ତି। ସେ କହିଛନ୍ତି, “ଯେଉଁମାନେ ନିର୍ବାଚନରେ ହାରିଛନ୍ତି, ସେମାନେ ଦଳର ନୀତି ନିର୍ଦ୍ଧାରଣରେ ମୁଣ୍ଡ ନଖେଳାଇ ନିଜ ନିର୍ବାଚନ ମଣ୍ଡଳୀ ଜଗନ୍ତୁ।” ମେ ୨୯ର ସେହି ପୁରୁଣା “ଚକ୍ରାନ୍ତ” କଥା ଉଠାଇ ସେ ନେତାମାନଙ୍କୁ ଚେତାଇ ଦେଇଛନ୍ତି। ଭିକେ ପାଣ୍ଡିଆନଙ୍କୁ ନେଇ ଦଳର ଏକ ବଡ଼ ଗୋଷ୍ଠୀ ବିରୋଧ କରୁଥିବା ବେଳେ ପ୍ରଭାତ ତାଙ୍କୁ ତୁଳନା କରିଛନ୍ତି ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସହ। ସେ କହିଛନ୍ତି, ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ଦଳ ସରକାର ଗଢ଼ିଥିଲା। ସେ ଲୋକଙ୍କ ସେବା ପାଇଁ ଆଇଏଏସ ଚାକିରି ଛାଡ଼ିଛନ୍ତି, ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି। ପ୍ରଭାତ ଆହୁରି ଏକ ବଡ଼ ପ୍ରସ୍ତାବ ରଖିଛନ୍ତି। ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ରାଜ୍ୟସଭା ପଠାଯାଉ ବୋଲି ସେ ଦାବି କରିଛନ୍ତି। କାରଣ ଓଡ଼ିଶାର ଚାରିଟି ରାଜ୍ୟସଭା ଆସନ ଆସନ୍ତା ବର୍ଷ ଖାଲି ହେବ । ଅତି କମରେ ଗୋଟିଏ ଆସନ ବିଜେଡିକୁ ଯିବ । ତେବେ କିଏ ରାଜ୍ୟସଭା ଯିବେ ତାହା ନବୀନ କହିପାରିବେ । କାରଣ ବିଜେଡିରେ ରାଜ୍ୟସଭା ପ୍ରାର୍ଥୀ ଚୟନ ସମ୍ପୂର୍ଣ୍ଣ ଭାବେ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ। ଯଦି ନବୀନ ପାଣ୍ଡିଆନଙ୍କ ଉପରେ ପୁଣି ଭରସା କରନ୍ତି, ତେବେ ସୁଜାତାଙ୍କ ନାମ ଉପରେ ବିଚାର କରାଯାଇପାରେ। ନିର୍ବାଚନ ହାରିବା ପରେ ଦଳ ଉପରେ “ବାହାରିଆ ଶାସନ” ବା “ଅଫିସର ରାଜ”ର ଯେଉଁ ଆରୋପ ଲାଗିଥିଲା, ସୁଜାତାଙ୍କୁ ରାଜ୍ୟସଭା ପଠାଇଲେ ସେହି ଅଭିଯୋଗ ପୁଣି ଉଗ୍ର ରୂପ ନେଇପାରେ। ପ୍ରଭାତଙ୍କ ବୟାନରୁ ସ୍ପଷ୍ଟ ଯେ ବବି ଦାସ ଓ ଅତନୁଙ୍କ ଭଳି ନେତାମାନେ ଏହାକୁ ସହଜରେ ଗ୍ରହଣ କରିବେ ନାହିଁ। ଏହା ଦଳ ମଧ୍ୟରେ ଏକ ବଡ଼ ବିଭାଜନ ସୃଷ୍ଟି କରିପାରେ। ଯଦି ବିଜେଡି ମହିଳା କୋଟା ବା ମହିଳା ସଶକ୍ତିକରଣ ଆଧାରରେ ସୁଜାତାଙ୍କୁ ପଠାଏ, ତେବେ ଦଳ ପାଇଁ ଏହା ଏକ ରଣନୈତିକ ଚାଲ୍ ହୋଇପାରେ। ସୁଜାତା କାର୍ତ୍ତିକେୟନ ରାଜ୍ୟସଭା ଯିବେ କି ନାହିଁ, ତାହା ବର୍ତ୍ତମାନ କହିବା କଷ୍ଟକର। କିନ୍ତୁ ପ୍ରଭାତଙ୍କ ଏହି ବାଣ ବିଜେଡି ଭିତରେ ଥିବା “ପାଣ୍ଡିଆନ ସମର୍ଥକ” ଗୋଷ୍ଠୀକୁ ପୁଣି ସକ୍ରିୟ କରିଦେଇଛି।

















