ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଙ୍କଳ୍ପ। ଏହି ପରିପ୍ରେକ୍ଷୀରେ, ପ୍ରତ୍ୟେକ ପଞ୍ଚାୟତରେ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସ୍ଥାପନ ଆରମ୍ଭ କରାଯାଇ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ବ୍ୟାପକ ସଂସ୍କାର ଅଣାଯିବା ସହ ମୌଳିକ ଜ୍ଞାନ, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ଦକ୍ଷତା ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଶାସନର ପ୍ରମୁଖ ସଙ୍କଳ୍ପ ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ପଞ୍ଚାୟତରେ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସ୍ଥାପନ କରିବାକୁ ଘୋଷଣା କରିଛନ୍ତି।
ସାମାଜିକ ଗଣମାଧ୍ୟମ ଏକ୍ସ (X) ଜରିଆରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, କେବଳ ଭିତ୍ତିଭୂମି ନୁହେଁ ବରଂ ଶିକ୍ଷାଦାନର ଶୈଳୀରେ ମଧ୍ୟ ବ୍ୟାପକ ସଂସ୍କାର ଅଣାଯିବ। ପ୍ରାଥମିକ ସ୍ତରରୁ ହିଁ ପିଲାମାନଙ୍କୁ ମୌଳିକ ଜ୍ଞାନ ସହିତ ପରିଚିତ କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ। ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଆବଶ୍ୟକୀୟ ପରିବର୍ତ୍ତନ କରି ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ।















