ଯୁଦ୍ଧ ବନ୍ଦ ନହେଲେ ଇରାନ ମାଟିରେ ମିଶିଯିବ I ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନର ଶାସନକୁ ଶେଷ କରିବେ। ଇରାନ ବିରୋଧରେ ଚାଲିଥିବା ସାମରିକ ଅଭିଯାନ ‘ଅପରେସନ୍ ରାଇଜିଂ ଲାୟନ୍’ ସମ୍ପର୍କରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ସେ କହିଛନ୍ତି ଯେ, ଆମେରିକା ଏବଂ ଇସ୍ରାଏଲ୍ ବର୍ତ୍ତମାନ ଏକାଠି ହୋଇ ଇରାନର ଶାସନ ବ୍ୟବସ୍ଥା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି।
ନେତାନ୍ୟାହୁ କହିଛନ୍ତି, “ମୁଁ ଜୀବିତ ଅଛି ଏବଂ ଆପଣ ସମସ୍ତେ ଏହାର ସାକ୍ଷୀ।” ଇରାନର ଏହି ଶାସନ ବ୍ୟବସ୍ଥା କେବଳ ଇସ୍ରାଏଲ୍ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ବିପଦ। ଇରାନର ପରମାଣୁ ଓ ମିସାଇଲ୍ ଶକ୍ତି ମାଟି ତଳେ ପୋତି ହେବା ପୂର୍ବରୁ ହିଁ ଶେଷ କରିବା ଆମର ଲକ୍ଷ୍ୟ। ସେପଟେ ଇରାନ ଯୁଦ୍ଧ ଭିତରକୁ ଆମେରିକାକୁ ଟାଣିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନେତାନ୍ୟାହୁ।
ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ଇସ୍ରାଏଲ୍ ନିଜର ସାମରିକ ନିଷ୍ପତ୍ତି ନିଜେ ନିଏ। ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ଆପଣ କଣ ସତରେ ଭାବୁଛନ୍ତି କି କେହି ରାଷ୍ଟ୍ରପତି ଟ୍ରମ୍ପଙ୍କୁ କଣ କରିବାକୁ ହେବ ନିର୍ଦ୍ଦେଶ ଦେଇପାରିବ? ଟ୍ରମ୍ପ ସର୍ବଦା ଆମେରିକାର ହିତକୁ ଦୃଷ୍ଟିରେ ରଖି ନିଜେ ନିଷ୍ପତ୍ତି ନିଅନ୍ତି।” ନେତାନ୍ୟାହୁ ଦାବି କରିଛନ୍ତି ଯେ ଇସ୍ରାଏଲ୍ ଏହି ଯୁଦ୍ଧ ଜିତୁଛି ଏବଂ ଇରାନର ସାମରିକ ଶକ୍ତି କ୍ରମଶଃ ହ୍ରାସ ପାଉଛି।
ଲୋକେ ଯାହା ଭାବୁଛନ୍ତି, ତା’ଠାରୁ ବହୁତ ଶୀଘ୍ର ଏହି ଯୁଦ୍ଧ ଶେଷ ହେବ। ଇରାନର ବାଲିଷ୍ଟିକ୍ ମିସାଇଲ୍ ତିଆରି କରିବା କ୍ଷମତାକୁ ଇସ୍ରାଏଲ୍ ନଷ୍ଟ କରିଦେଇଛି। ଇରାନର ଶାସନ ବ୍ୟବସ୍ଥା ଭୁଶୁଡ଼ିବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି ନେତାନ୍ୟାହୁ। ଉଭୟ ଦେଶର ବାୟୁସେନା ଏବଂ ଗୁପ୍ତଚର ସଂସ୍ଥାର ପ୍ରଶଂସା କରି ନେତାନ୍ୟାହୁ କହିଛନ୍ତି, ଆମେରିକା ଓ ଇସ୍ରାଏଲ୍ ମିଶି ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ।


/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








