ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁ ଲିଭୁନଥିବା ବେଳେ ସାଧାରଣ ଲୋକଙ୍କ ମନରେ ଲକଡାଉନର ଭୟ ପଶିଛି। ଆଗକୁ ଆଉ ଅତ୍ୟାବଶ୍ୟକ ଜିନିଷ ନମିଳିବାର ଭୟ ଲୋକଙ୍କୁ ଘାରିଛି। କେହି କେହି ଆଗୁଆ ଖାଦ୍ୟ ସାମଗ୍ରୀ କିଣି ଗଛିତ କରୁଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି, ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଲକ୍ଡାଉନ୍ ଭୟ କାହିଁକି? ଇରାନ-ଆମେରିକା-ଇସ୍ରାଏଲ୍ ଯୁଦ୍ଧ ଆରମ୍ଭ ହେବା ପରେ ଭାରତରେ ଆଉ ଥରେ ଲକ୍ଡାଉନ୍ ଭୟ ବଢ଼ିଛି। ଗୁଗୁଲ୍ ଓ ସୋସିଆଲ୍ ମିଡ଼ିଆରେ “India lockdown again” ଏବଂ “ଲକ୍ଡାଉନ୍ ନ୍ୟୁଜ୍” ସର୍ଚ୍ଚ ବହୁତ ବଢ଼ିଯାଇଛି। କିନ୍ତୁ ସରକାର କୌଣସି ଲକ୍ଡାଉନ୍ ଘୋଷଣା କରି ନାହାନ୍ତି। ଏହା ମୁଖ୍ୟତଃ ତୈଳ ସଙ୍କଟ ଏବଂ ଅର୍ଥନୈତିକ ଭୟ ଯୋଗୁଁ ହୋଇଛି।
୨୮ ଫେବ୍ରୁଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ଇରାନ ପୃଥିବୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ (Strait of Hormuz) କୁ ଆଂଶିକ ଭାବେ ବନ୍ଦ କରିଦେଇଛି। ଏହି ସମୁଦ୍ର ପଥ ଦେଇ ପୃଥିବୀର ପ୍ରାୟ ୨୦% ତୈଳ ଓ ଏଲ୍ଏନ୍ଜି (ଗ୍ୟାସ୍) ଯାଏ। ଯୁଦ୍ଧ ଯୋଗୁଁ ଜାହାଜ ଚଳାଚଳ ବହୁତ କମିଯାଇଛି ଏବଂ ତୈଳ ଦାମ୍ ଆକାଶଛୁଆଁ ହୋଇଛି।
ଅଶୋଧିତ ତୈଳ ଦାମ୍ ୧୦୦-୧୨୦ ଡଲାର୍ ଉପରେ ପହଞ୍ଚିଛି। ଭାରତର ପ୍ରାୟ ୮୮% ଅଶୋଧିତ ତୈଳ ଏବଂ ୬୦% ଏଲ୍ପିଜି (ରନ୍ଧନ ଗ୍ୟାସ୍) ଏହି ପଥ ଦେଇ ଆସେ। ଫଳରେ ପେଟ୍ରୋଲ୍, ଡିଜେଲ୍, ଏଲ୍ପିଜି ଓ ସାର ଦାମ୍ ବଢ଼ୁଛି। କେତେକ ସ୍ଥାନରେ ଯୋଗାଣ କମିବାର ଆଶଙ୍କା ମଧ୍ୟ ଉଠିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଓ ରାଜ୍ୟସଭାରେ କହିଛନ୍ତି ଯେ, “ଏହି ଯୁଦ୍ଧର ପ୍ରଭାବ ଦୀର୍ଘଦିନ ରହିପାରେ। କୋଭିଡ୍ ସମୟରେ ଯେପରି ଆମେ ଏକଜୁଟ୍ ହୋଇ ଲଢ଼ିଥିଲୁ, ସେହିପରି ଏବେ ମଧ୍ୟ ପ୍ରସ୍ତୁତ ରହିବା ଉଚିତ୍।” ତାଙ୍କର ଏହି କଥାକୁ କେହି କେହି ଭୁଲ୍ ବୁଝି ଲକ୍ଡାଉନ୍ ଆସୁଛି ବୋଲି ଗୁଜବ ପ୍ରଚାର କରୁଛନ୍ତି । ସୋସିଆଲ୍ ମିଡ଼ିଆରେ ପୁରୁଣା କୋଭିଡ୍ ଭିଡିଓ ଛାଡି ଏଭଳି କରୁଛନ୍ତି ।କିନ୍ତୁ ସରକାରୀ ସୂତ୍ର କହୁଛି….
- କୌଣସି ଲକ୍ଡାଉନ୍ ଆଦେଶ ନାହିଁ।
- ଏହା ଏକ ଅର୍ଥନୈତିକ ଓ ଶକ୍ତି ସଙ୍କଟ , କୌଣସି ରୋଗ ନୁହେଁ।
- ଭାରତର ତୈଳ ଭଣ୍ଡାର, କୋଇଲା ଓ ଏଲ୍ପିଜି ଭଣ୍ଡାର ଯଥେଷ୍ଟ ଅଛି।
- ଅନ୍ୟ ଦେଶରୁ ତୈଳ ଆମଦାନି ବଢ଼ାଯାଉଛି ଏବଂ କୂଟନୀତିକ ପ୍ରୟାସ ଜାରି ରହିଛି।
ଆନ୍ତର୍ଜାତିକ ଶକ୍ତି ଏଜେନ୍ସି (IEA) କହିଛି ଯେ ତୈଳ ସଞ୍ଚୟ କରାଯିବ , କିନ୍ତୁ କୋଭିଡ୍ ଭଳି ଲକ୍ଡାଉନ୍ ହେବ ନାହିଁ। ବିଶେଷଜ୍ଞମାନେ କହୁଛନ୍ତି – ଯୁଦ୍ଧ ଯଦି ଲମ୍ବିଯାଏ ତେବେ ମହଙ୍ଗା ବଢ଼ିପାରେ ଏବଂ କିଛି ସେକ୍ଟରରେ ସତର୍କ ସୂଚନା ଆସିପାରେ, କିନ୍ତୁ ସାଧାରଣ ଜୀବନ ଏବେ ସ୍ୱାଭାବିକ୍ ରହିଛି।ସରକାର ଲୋକଙ୍କୁ ଅନୁରୋଧ କରିଛି ଯେ ଗୁଜବରେ ବିଶ୍ୱାସ ନ କରନ୍ତୁ, ଆତଙ୍କ ସୃଷ୍ଟି ନ କରନ୍ତୁ ଏବଂ ଆବଶ୍ୟକତା ଅନୁଯାୟୀ କେବଳ ଜିନିଷ କିଣନ୍ତୁ।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)






