ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୫-ପଏଣ୍ଟ ଶାନ୍ତି ପ୍ରସ୍ତାବକୁ ଇରାନ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିବା ପରେ ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଇରାନ ନିଜର ୫-ପଏଣ୍ଟ ପାଲଟା ପ୍ରସ୍ତାବ ଦେଇ ଯୁଦ୍ଧ ବନ୍ଦ ପାଇଁ କଠୋର ସର୍ତ୍ତ ରଖିଛି, ଯାହା ଟ୍ରମ୍ପ ପ୍ରଶାସନକୁ ବଡ଼ ଚିନ୍ତାରେ ପକାଇଛି।
ଟ୍ରମ୍ପ ପ୍ରଶାସନ ପାକିସ୍ତାନ ମାଧ୍ୟମରେ ଇରାନକୁ ପଠାଇଥିବା ୧୫-ପଏଣ୍ଟ ପ୍ରସ୍ତାବରେ ଇରାନର ନ୍ୟୁକ୍ଲିୟର କାର୍ଯ୍ୟକ୍ରମ ପୂର୍ଣ୍ଣ ଭାବେ ବନ୍ଦ କରିବା, ଅଧିକ ସମୃଦ୍ଧ ଇଉରାନିୟମ୍ ଷ୍ଟକ୍ ହସ୍ତାନ୍ତର, ବାଲିଷ୍ଟିକ୍ ମିସାଇଲ୍ କାର୍ଯ୍ୟକ୍ରମ ହ୍ରାସ, ଆଞ୍ଚଳିକ ପ୍ରକ୍ସି ସଂଗଠନକୁ ଅର୍ଥ ଯୋଗାଣ ବନ୍ଦ ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ଭଳି ମୁଖ୍ୟ ସର୍ତ୍ତ ରଖାଯାଇଥିଲା। ଏହା ବଦଳରେ ଆମେରିକା କଟକଣା ଉଠାଇବା ଏବଂ ସିଭିଲିୟାନ୍ ନ୍ୟୁକ୍ଲିୟର୍ କାର୍ଯ୍ୟକ୍ରମରେ ସହାୟତା ଦେବାର ଗ୍ୟାରେଂଟି ଦେଇଥିଲା।
କିନ୍ତୁ ଇରାନୀୟ ସୈନ୍ୟ କମାଣ୍ଡ ଏବଂ ରାଷ୍ଟ୍ରୀୟ ଗଣମାଧ୍ୟମ ଏହି ପ୍ରସ୍ତାବକୁ ‘ଏକପାଖିଆ ଓ ଅଯଥା’ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ ନିଜର ୫-ପଏଣ୍ଟ ପ୍ରତି ପ୍ରସ୍ତାବରେ ଯୁଦ୍ଧ କ୍ଷତିପୂରଣ, ଭବିଷ୍ୟତରେ ଆମେରିକା-ଇସ୍ରାଏଲ୍ ଆକ୍ରମଣରୁ ନିରାପତ୍ତା ଗ୍ୟାରେଣ୍ଟି, ହର୍ମୁଜ୍ ପ୍ରଣାଳୀ ଉପରେ ପୂର୍ଣ୍ଣ ନିୟନ୍ତ୍ରଣର ଆନ୍ତର୍ଜାତିକ ସ୍ୱୀକୃତି ଏବଂ ଆଞ୍ଚଳିକ ସାର୍ବଭୌମତ୍ୱର ସମ୍ମାନ ଦାବି କରିଛି।
ଇରାନର ବିଦେଶ ମନ୍ତ୍ରୀ ଆବାସ୍ ଆରାଘ୍ଚି କହିଛନ୍ତି ଯେ, ଆମେରିକା ସହ କୌଣସି ଆଲୋଚନା ହୋଇନାହିଁ ଏବଂ ଯୁଦ୍ଧ ଜାରି ରହିବ। ଇରାନର ଏହି ପ୍ରତ୍ୟାଖ୍ୟାନ ସତ୍ତ୍ୱେ ଟ୍ରମ୍ପ କ୍ୟାବିନେଟ୍ ମିଟିଙ୍ଗରେ କହିଛନ୍ତି ଯେ, ଇରାନ ନେତୃତ୍ୱ ‘ଡିଲ୍ କରିବାକୁ ବହୁତ ଚାହୁଁଛନ୍ତି’ କିନ୍ତୁ ନିଜ ଲୋକଙ୍କ ଭୟରେ ଏହା ସ୍ୱୀକାର କରୁନାହାନ୍ତି। ସେ ଇରାନର ଏନର୍ଜି ପ୍ଲାଣ୍ଟ୍ ଉପରେ ଆକ୍ରମଣକୁ ୧୦ ଦିନ ପାଇଁ ସ୍ଥଗିତ ରଖିବାର ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ, ଆଲୋଚନା ‘ଭଲ ଭାବେ ଚାଲିଛି’। କିନ୍ତୁ ଇରାନ ପକ୍ଷରୁ ଏହାକୁ ମିଥ୍ୟା ବୋଲି କଟାକ୍ଷ କରାଯାଇଛି।ଏଭଳି ପରିସ୍ଥିତିରେ ଆମେରିକା ମଧ୍ୟପ୍ରାଚ୍ୟରେ ଅଧିକ ସୈନ୍ୟ ମୁତୟନ କରୁଛି।











