ରାଜଧାନୀ ଭୁବନେଶ୍ୱରରେ ରନ୍ଧନ ଗ୍ୟାସ୍ (LPG) ସିଲିଣ୍ଡରର ତୀବ୍ର ସଙ୍କଟ ଦେଖାଦେଇଛି। ଗ୍ରାହକମାନେ ୨୦ରୁ ୨୫ ଦିନ ପୂର୍ବରୁ ବୁକିଂ କରିଥିଲେ ମଧ୍ୟ ଗ୍ୟାସ୍ ମିଳୁନାହିଁ। ଏଥି ଯୋଗୁ ହୋଟେଲ୍, ଜଳଖିଆ ଦୋକାନ ଏବଂ ରାସ୍ତାକଡ଼ ଠେଲା ଦୋକାନୀମାନେ ବହୁତ ଅସୁବିଧାରେ ପଡ଼ିଛନ୍ତି।ବିଭିନ୍ନ ଗ୍ୟାସ୍ ଏଜେନ୍ସି ଆଗରେ ଶହ ଶହ ଲୋକଙ୍କ ଲମ୍ବା ଧାଡ଼ି ଲାଗିଛି। ହୋମ୍ ଡେଲିଭରୀ ପ୍ରାୟ ବନ୍ଦ ହୋଇଯାଇଛି। ଅନେକ ଏଜେନ୍ସି ଆଗରେ ‘ଷ୍ଟକ୍ ନାହିଁ’ ବୋର୍ଡ ଲଗାଯାଇଛି।
ଏହି ସଙ୍କଟ ଯୋଗୁ ହୋଟେଲରେ ଭେଜ୍ ଥାଳି ୨୦ ଟଙ୍କା ଏବଂ ନନ୍-ଭେଜ୍ ଥାଳି ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି। ଜଳଖିଆ ପ୍ଲେଟରେ ମଧ୍ୟ ୫ ଟଙ୍କା ଅଧିକ ନେଉଛନ୍ତି ଦୋକାନୀ। ଅନେକ ରାସ୍ତାକଡ଼ ଖାଦ୍ୟ ଷ୍ଟଲ୍ ବନ୍ଦ ହୋଇଯାଇଛି । ଚା’ ଦୋକାନୀମାନେ ଇଲେକ୍ଟ୍ରିକ୍ ଷ୍ଟୋଭ୍ ବ୍ୟବହାର କରିବାରେ ଲାଗିଛନ୍ତି। ଆଜି ଭୁବନେଶ୍ୱର ସୁନ୍ଦରପଦାରେ ଗ୍ୟାସ ପାଇଁ ହଂଗାମା ଦେଖିବାକୁ ମିଳିଛି। ଲୋକେ ଏଥିପାଇଁ ଗ୍ୟାସ ଏଜେନସି ଆଗରେ ସିଲିଣ୍ଡର ଥୋଇ ପ୍ରବଳ ପାଟିତୁଣ୍ଡ କରିଛନ୍ତି ।
କାହିଁକି ଏହି ସଙ୍କଟ ?
ପଶ୍ଚିମ ଏସିଆ (ଇରାନ-ଇସ୍ରାଏଲ୍ ଯୁଦ୍ଧ) ଯୋଗୁ ହର୍ମୁଜ୍ ପ୍ରଣାଳୀରେ ଗ୍ୟାସ୍ ପରିବହନ ବାଧାପ୍ରାପ୍ତ ହୋଇଛି। ଭାରତର ୯୦% ଏଲ୍ପିଜି ଏହି ରାସ୍ତା ଦେଇ ଆସେ। ଏହା ସହିତ କଳାବଜାରୀ ଏବଂ ହୋଇଫେରର ଅଭିଯୋଗ ମଧ୍ୟ ଉଠିଛି। ଗ୍ରାହକମାନେ ରାସ୍ତା ଅବରୋଧ କରି ପ୍ରତିବାଦ କରୁଛନ୍ତି। ଓଡ଼ିଶାର ଅନ୍ୟାନ୍ୟ ସ୍ଥାନ ଯେପରି ସୁନ୍ଦରଗଡ଼, କେନ୍ଦୁଝର, ଜାଜପୁର ଆଦିରେ ମଧ୍ୟ ରାସ୍ତା ରୋକ ଘଟଣା ଘଟିଛି। ଓଡ଼ିଶା ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠି ହଙ୍ଗାମା ହୋଇଛି।
ସରକାରୀ ପଦକ୍ଷେପ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର କହିଛନ୍ତି ଯେ ଘରୋଇ ଗ୍ରାହକଙ୍କ ପାଇଁ କୌଣସି ସଙ୍କଟ ନାହିଁ, କିନ୍ତୁ ବାସ୍ତବରେ ଲୋକେ ବହୁତ କଷ୍ଟରେ ଅଛନ୍ତି। ପାଇପ୍ଡ୍ ନ୍ୟାଚୁରାଲ୍ ଗ୍ୟାସ୍ (PNG) ବିସ୍ତାରକୁ ତ୍ୱରାନ୍ୱିତ କରାଯାଉଛି।ଏହି ସଙ୍କଟ ଯୋଗୁ ସାଧାରଣ ଲୋକଙ୍କ ରୋଜଗାର ଏବଂ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଅଧିକାରୀମାନେ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି।।









