କାଳବୈଶାଖୀ ବର୍ଷା ତାତିରୁ ସାମୟିକ ରିହାତି ଦେଇଥିବାବେଳେ ଓଡ଼ିଶାରେ ପୁନର୍ବାର ପ୍ରବଳ ଗରମ ଏବଂ ଗୁଳୁଗୁଳି ଫେରିଛି। ଆଜି ଏପ୍ରିଲ୍ ୧୧ ତାରିଖଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢ଼ିବା ସହ ଗୁଳୁଗୁଳି ଅସହ୍ୟ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଆଜି ଏବଂ ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ୟେଲୋ ଆଲର୍ଟ ଜାରି ହୋଇଥିବା ୧୧ଟି ଜିଲ୍ଲା ହେଉଛି – ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।ପଶ୍ଚିମ ଓଡ଼ିଶାରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଗରମ ସହ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ବଢ଼ିବ।
ଲୋକଙ୍କୁ ଦିନ ସମୟରେ ବାହାରକୁ ବାହାରିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କୁ ଅଧିକ ଯତ୍ନ ନେବାକୁ କୁହାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିବ। ତେବେ କେତେକ ସ୍ଥାନରେ ଗରମ ଏବଂ ଆର୍ଦ୍ରତା ଯୋଗୁଁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଏପ୍ରିଲ୍ ୧୩ ଏବଂ ୧୪ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ (ସମ୍ବଲପୁର, ବଲାଙ୍ଗୀର, ବରଗଡ଼) ହିଟୱେଭ୍ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।
କଣ କରିବେ ଏବଂ କଣ କରିବେ ନାହିଁ ?
- ଦିନ ୧୧ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଅଧିକ ସମୟ ଖରାରେ ନ ରହିବା।
- ପ୍ରଚୁର ପରିମାଣରେ ପାଣି ପିଇବା ଏବଂ ଓଆରଏସ, ଲେମ୍ବୁ ପାଣି ଆଦି ସେବନ କରିବା।
- ହାଲୁକା ରଙ୍ଗର ଢିଲା ପୋଷାକ ପିନ୍ଧିବା।
- ବୃଦ୍ଧ ଏବଂ ପିଲାଙ୍କୁ ଘର ବାହାରକୁ ନପଠାଇବା।
- ଜଙ୍ଗଲ କିମ୍ବା ଖୋଲା ଜାଗାରେ ଅଗ୍ନି ସଂଯୋଗ ଏଡ଼ାଇବା।
ପାଣିପାଗ ବିଭାଗ କହିଛି ଯେ, ଆଗାମୀ ଦିନଗୁଡ଼ିକରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଜାରି ରହିପାରେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।











