ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ୍ ମଧ୍ୟରେ ହୋଇଥିବା ଯୁଦ୍ଧ ପରେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପାଇଁ ଛୋଟ ଛୋଟ ଡଙ୍ଗା ବ୍ୟବହାର କରି ମାଇନ୍ ବିଛାଇଥିଲା। କିନ୍ତୁ ଏବେ ସେହି ମାଇନ୍ ଗୁଡ଼ିକର ସଠିକ୍ ଅବସ୍ଥାନ ଖୋଜି ପାଉନଥିବାରୁ ଇରାନ୍ ହର୍ମୁଜ ପ୍ରଣାଳୀକୁ ପୂର୍ଣ୍ଣ ଭାବେ ଖୋଲିବାରେ ଅସମର୍ଥ ହୋଇପଡ଼ିଛି। ଏହା ଯୋଗୁଁ ବିଶ୍ୱ ତୈଳ ପରିବହନରେ ବଡ଼ ବାଧା ସୃଷ୍ଟି ହୋଇଛି। ଯୁକ୍ତରାଷ୍ଟ୍ର ଅଧିକାରୀଙ୍କ ଉଦ୍ଧୃତିରେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ, ଇରାନ୍ ଗତ ମାସରେ ହର୍ମୁଜ୍ ପ୍ରଣାଳୀରେ ମାଇନ୍ ଲଗାଇଥିଲା। କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ଗୁପ୍ତ ଭାବେ ହୋଇଥିଲା।
IRGC ଛୋଟ ଡଙ୍ଗା ବ୍ୟବହାର କରି ଶହ ଶହ ମାଇନ୍ ଲଗାଇଥିଲେ ଏବଂ ସେଗୁଡ଼ିକର ପ୍ରତ୍ୟେକ ସ୍ଥାନ ରେକର୍ଡ କରିନଥିଲେ। ଅନେକ ମାଇନ୍ ସ୍ରୋତରେ ଭାସି ଯାଇଛି ବା ସେମାନଙ୍କ ଅବସ୍ଥାନ ବଦଳି ଯାଇଛି। ଫଳସ୍ୱରୂପ ଇରାନ୍ ଏବେ ସେଗୁଡ଼ିକୁ ଖୋଜି ପାରୁନାହିଁ ଏବଂ ସୁରକ୍ଷିତ ଭାବେ ହଟାଇବାର କ୍ଷମତା ମଧ୍ୟ ନାହିଁ।ଏହି ପରିସ୍ଥିତି ଯୋଗୁଁ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ପୂର୍ଣ୍ଣ ଭାବେ ଖୋଲିବାରେ ବିଳମ୍ବ ହେଉଛି। ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ଖୋଲିବାକୁ ଚାପ ଦେଉଥିବା ବେଳେ ଇରାନ୍ ବିକଳ୍ପ ରାସ୍ତା ଘୋଷଣା କରିଛି।
ଇରାନ୍ ବିପ୍ଳବୀ ଗାର୍ଡ୍ସ କହିଛନ୍ତି ଯେ, ମାଇନ୍ ବିପଦ ଯୋଗୁଁ ଜାହାଜଗୁଡ଼ିକୁ ନିର୍ଦ୍ଦିଷ୍ଟ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପଡ଼ିବ। ଏହା ସୁରକ୍ଷା ପାଇଁ ଆବଶ୍ୟକ ବୋଲି ସେମାନେ ଜାହାଜ କମ୍ପାନୀଗୁଡ଼ିକୁ ସୂଚନା ଦେଇଛନ୍ତି।ହର୍ମୁଜ୍ ପ୍ରଣାଳୀ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ପରିବହନ କରେ। ଏହା ବନ୍ଦ ହେବା ଯୋଗୁଁ ବିଶ୍ୱବ୍ୟାପୀ ତୈଳ ମୂଲ୍ୟ ବଢ଼ିଛି ଏବଂ ପରିବହନ ଶୃଙ୍ଖଳା ପ୍ରଭାବିତ ହୋଇଛି। ଇରାନ୍ ଗତ ଫେବୃଆରୀ ୨୮ ତାରିଖରେ ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ୍ ଆକ୍ରମଣ ପ୍ରତିବାଦରେ ଏହି ପ୍ରଣାଳୀ ଅବରୋଧ କରିଥିଲା। ଏବେ ଦୁଇ ସପ୍ତାହର ଯୁଦ୍ଧବିରାମ ଚୁକ୍ତି ସତ୍ତ୍ୱେ ହର୍ମୁଜ ଖୋଲିବା ସମ୍ଭବ ହୋଇପାରୁନାହିଁ।
ଯୁକ୍ତରାଷ୍ଟ୍ର ଅଧିକାରୀଙ୍କ କହିବା ଅନୁସାରେ, ଇରାନ୍ ମାଇନ୍ ଲଗାଇବା ସମୟରେ କୌଣସି ସିଷ୍ଟମ୍ୟାଟିକ୍ ରେକର୍ଡ ରଖିନଥିଲା। କେତେକ ମାଇନ୍ ଭାସି ଯାଇ ଅନ୍ୟତ୍ର ପହଞ୍ଚି ଯାଇଛି। ଏହା ଯୋଗୁଁ ସୁରକ୍ଷିତ ରାସ୍ତା ନିର୍ଦ୍ଧାରଣ କରିବା କଷ୍ଟକର ହୋଇପଡ଼ିଛି। ଇରାନ୍ ଏବେ ବିକଳ୍ପ ରାସ୍ତା ଦେଖାଇ ଜାହାଜ ଚଳାଚଳ କରାଇବାକୁ ଚେଷ୍ଟା କରୁଛି, କିନ୍ତୁ ପୂର୍ଣ୍ଣ ସ୍ୱାଭାବିକ ପରିସ୍ଥିତି ଫେରିବା ପାଇଁ କେତେ ମାସ ଲାଗିପାରେ ବୋଲି ବିଶ୍ଳେଷକମାନେ କହୁଛନ୍ତି।ଏହି ଘଟଣା ଯୋଗୁଁ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଜାରି ରହିଛି। ତୈଳ ମୂଲ୍ୟ ଉଚ୍ଚ ସ୍ତରରେ ରହିବା ସହ ବିଭିନ୍ନ ଦେଶର ଶକ୍ତି ଯୋଗାଣ ପ୍ରଭାବିତ ହେଉଛି। ଯୁକ୍ତରାଷ୍ଟ୍ର ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଆଲୋଚନାରେ ଏହି ମାଇନ୍ ସମସ୍ୟା ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।











