ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ନୂଆ ମୋଡ଼ ନେଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଗାମୀ ୨ ଦିନ ମଧ୍ୟରେ କିଛି ବଡ଼ ଘଟଣା ଘଟିପାରେ।

ରାଷ୍ଟ୍ରପତି ଟ୍ରମ୍ପ ନ୍ୟୁୟର୍କ ପୋଷ୍ଟକୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଇରାନ୍ ସହ ଶାନ୍ତି ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ ଇସଲାମାବାଦରେ ଆଗାମୀ ଦୁଇ ଦିନ ମଧ୍ୟରେ ହୋଇପାରେ। ସେ କହିଛନ୍ତି, “ଆପଣ ଅପେକ୍ଷା କରନ୍ତୁ, କାରଣ ଆଗାମୀ ଦୁଇ ଦିନରେ କିଛି ଘଟିପାରେ ।”ପାକିସ୍ତାନର ସେନାପ୍ରଧାନ ଜେନେରାଲ୍ ଆସିମ୍ ମୁନିରଙ୍କୁ ମଧ୍ୟସ୍ଥତା ପାଇଁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ଏହି ଆଲୋଚନା ପାଇଁ ସବୁଠୁ ଉପଯୁକ୍ତ ସ୍ଥାନ।

ପୂର୍ବରୁ ଇସଲାମାବାଦରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଆଲୋଚନା କେତେକ ବିଷୟରେ ସହମତି ହୋଇଥିଲା କିନ୍ତୁ ପରମାଣୁ କାର୍ଯ୍ୟକ୍ରମ ନେଇ ମୁଖ୍ୟ ବିବାଦ ରହିଯାଇଥିଲା। ଇରାନ୍ ବନ୍ଦରଗୁଡ଼ିକୁ ଆମେରିକା ବ୍ଲକେଡ୍ କରିବା ପରେ ପରିସ୍ଥିତି ବଦଳିଥିଲା। ତଥାପି ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧ ଶେଷ ହେବା ସମୟ ଆସୁଛି ଏବଂ ଇରାନ୍ ମଧ୍ୟ ଏକ ଚୁକ୍ତି ଚାହୁଁଛି। କିନ୍ତୁ ଆମେରିକା କେବଳ ଏପରି ଚୁକ୍ତି କରିବ ଯାହା ଇରାନ୍‌କୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଅନୁମତି ଦେବ ନାହିଁ।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଇସଲାମାବାଦ ଏହି ଆଲୋଚନାକୁ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି। ଆମେରିକା ପକ୍ଷରୁ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ୍ ଏହି ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ନେତୃତ୍ୱ ନେଇପାରନ୍ତି ବୋଲି ଆଶା କରାଯାଉଛି।ବିଶ୍ୱ ନେତାମାନେ ଏହି ଆଲୋଚନାର ଫଳାଫଳ ଉପରେ ନଜର ରଖିଛନ୍ତି। ଯଦି ଦୁଇ ପକ୍ଷ ମଧ୍ୟରେ ସହମତି ହୁଏ, ତାହା ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନା ପାଇଁ ଏକ ବଡ଼ ପଦକ୍ଷେପ ହୋଇପାରେ। କିନ୍ତୁ ଯଦି ଆଲୋଚନା ବିଫଳ ହୁଏ, ତେବେ ଯୁଦ୍ଧର ଭୟାବହତାକୁ ବଢ଼ିପାରେ ବୋଲି ଆଶଙ୍କା ରହିଛି।