ପେଟ୍ରୋଲ ଦାମ ଲଗାତାର ବଢ଼ୁଥିବାରୁ ଅନେକ କାର ମାଲିକ ଏବେ ନିଜ ପେଟ୍ରୋଲ କାରକୁ CNG ରେ କନଭର୍ଟ କରିବାକୁ ଚିନ୍ତା କରୁଛନ୍ତି। CNG କାରର ଖର୍ଚ୍ଚ ପେଟ୍ରୋଲ ତୁଳନାରେ କମ ହେବା ସହିତ ଭଲ ମାଇଲେଜ ମଧ୍ୟ ଦେଇଥାଏ। କିନ୍ତୁ କାରରେ CNG କିଟ୍ ଲଗାଇବା ପୂର୍ବରୁ କିଛି ଜରୁରୀ ନିୟମ ଓ ଖର୍ଚ୍ଚ ବିଷୟରେ ଜାଣିବା ଆବଶ୍ୟକ।

ସବୁ କାରରେ ଲାଗିବ ନାହିଁ CNG କିଟ୍
ସରକାରୀ ନିୟମ ଅନୁସାରେ 3.5 ଟନ୍‌ରୁ କମ ଓଜନର ଗାଡ଼ିରେ ମାତ୍ର CNG କିଟ୍ ଲଗାଇପାରିବ। ସାଧାରଣତଃ ହ୍ୟାଚବ୍ୟାକ୍, ସେଡାନ୍ ଓ ଅନେକ SUV ରେ CNG କିଟ୍ ସହଜରେ ଲଗାଯାଇଥାଏ। ହେଲେ ଖୁବ ପୁରୁଣା କାର କିମ୍ବା ଇଞ୍ଜିନ୍ ଖରାପ ଥିବା ଗାଡ଼ିରେ CNG ଲଗାଇବା ଠିକ୍ ନୁହେଁ। ସେଥିପାଇଁ କିଟ୍ ଲଗାଇବା ପୂର୍ବରୁ ଗାଡ଼ି ଓ ଇଞ୍ଜିନ୍ ଚେକ୍ କରାଇବା ଦରକାର।

କେତେ ହେବ ଖର୍ଚ୍ଚ?
ପେଟ୍ରୋଲ କାରରେ CNG କିଟ୍ ଲଗାଇବାର ଖର୍ଚ୍ଚ ସାଧାରଣତଃ ୩୫ ହଜାର ଟଙ୍କାରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହା କାରର ମଡେଲ୍, ଇଞ୍ଜିନ୍ ଓ କିଟ୍‌ର ଗୁଣମାନ ଉପରେ ନିର୍ଭର କରେ। ଭଲ ଓ ବ୍ରାଣ୍ଡେଡ୍ କିଟ୍ ଦାମି ହୋଇଥାଏ, କିନ୍ତୁ ସୁରକ୍ଷିତ ଓ ଦୀର୍ଘ ସମୟ ପାଇଁ ଭଲ ମନାଯାଏ। ଶସ୍ତା କିଟ୍ ଲଗାଇଲେ ପରେ ଇଞ୍ଜିନ୍ ଓ ସେଫ୍ଟି ସମସ୍ୟା ହୋଇପାରେ।

ଅଧିକୃତ ସେଣ୍ଟରରେ ହିଁ ଲଗାନ୍ତୁ କିଟ୍
CNG କିଟ୍ ସବୁବେଳେ ସରକାରୀ ଅନୁମୋଦିତ ଓ ଅଧିକୃତ ଡିଲରଙ୍କ ପାଖରେ ଲଗାଇବା ଉଚିତ। କିଟ୍ ଲଗିବା ପରେ ବିଲ୍ ଓ ସର୍ଟିଫିକେଟ୍ ନେବା ଅତ୍ୟାବଶ୍ୟକ। ଏହା ପରେ ଗାଡ଼ିର RC ରେ ମଧ୍ୟ ଫ୍ୟୁଏଲ୍ ଟାଇପ୍ ପେଟ୍ରୋଲରୁ CNG କରାଇବାକୁ ପଡ଼େ। ସହିତେ ଇନ୍ସୁରାନ୍ସ କମ୍ପାନୀକୁ ମଧ୍ୟ ଏହାର ସୂଚନା ଦେବା ଜରୁରୀ। ନହେଲେ ଭବିଷ୍ୟତରେ ଇନ୍ସୁରାନ୍ସ କ୍ଲେମ୍‌ରେ ସମସ୍ୟା ହୋଇପାରେ।

CNG କାର ଚଳାଇବାର ଖର୍ଚ୍ଚ କେତେ?
CNG ର ସବୁଠାରୁ ବଡ଼ ଲାଭ ହେଉଛି କମ ଖର୍ଚ୍ଚ। ପେଟ୍ରୋଲ ତୁଳନାରେ CNG ଦାମ କମ ଥିବାରୁ ରନିଂ କଷ୍ଟ ବହୁତ କମିଯାଏ। ଅନେକଙ୍କ ଅନୁସାରେ CNG କାରର ଖର୍ଚ୍ଚ ପ୍ରାୟ ୨ ରୁ ୩ ଟଙ୍କା ପ୍ରତି କିଲୋମିଟର ପର୍ଯ୍ୟନ୍ତ ଆସେ। ଏହା ସହିତ CNG ରୁ ପ୍ରଦୂଷଣ ମଧ୍ୟ କମ ହୁଏ, ଯାହା ପରିବେଶ ପାଇଁ ଭଲ ମନାଯାଏ।

CNG ର କିଛି ଅସୁବିଧା ମଧ୍ୟ ଅଛି
CNG ସିଲିଣ୍ଡର ଲଗାଇବା ପରେ କାରର ବୁଟ୍ ସ୍ପେସ୍ କମିଯାଏ। କେତେକ କାରରେ ପିକଅପ୍ ଓ ପରଫର୍ମାନ୍ସ ମଧ୍ୟ ଅଳ୍ପ କମ ଲାଗିପାରେ। ଯଦି ଠିକ୍ ଭାବେ କିଟ୍ ଲଗାଯାଇନଥାଏ, ତେବେ ଇଞ୍ଜିନ୍ ଓ ECU ସମସ୍ୟା ହୋଇପାରେ। ଅନେକ କମ୍ପାନୀ ଆଫ୍ଟରମାର୍କେଟ୍ CNG କିଟ୍ ଲଗାଇଲେ କାରର ୱାରେଣ୍ଟି ମଧ୍ୟ ବନ୍ଦ କରିଦେଇଥାନ୍ତି। ସେଥିପାଇଁ ନୂଆ କାର କିଣିବାବେଳେ ଫ୍ୟାକ୍ଟ୍ରି-ଫିଟେଡ୍ CNG ମଡେଲ୍ କିଣିବାକୁ ଅଧିକ ସୁରକ୍ଷିତ ମନାଯାଏ।