ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ । ଗୁଳିମାଡ଼ ନେଇ ସାରା ବିଶ୍ବର ନେତା ଉଦବେଗ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ସହ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତେବେ କିଏ କାହିଁକି ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିଲା ତାହା ଜଣାପଡିନାହିଁ । ପେନସିଲଭାନିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଛି। ଯାହାକୁ ନେଇ ଆମେରିକାରେ ମଧ୍ୟ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗୁଳିମାଡରେ ଟ୍ରମ୍ପ ଆହତ ହୋଇଛନ୍ତି। ତାଙ୍କ ଡାହାଣ କାନରେ ଗୁଳି ବାଜିବା ପରେ ରକ୍ତ ଦେଖିବାକୁ ମିଳିଥିଲା । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡରେ ସନ୍ଦିଗ୍ଧ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପରେ ଟ୍ରମ୍ପଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସେପଟେ ଏହି ଘଟଣାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିନ୍ଦା କରିଛନ୍ତି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା ପ୍ରକଟ କରିଛନ୍ତି । ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ମୋଦି ଏହି ଘଟଣାକୁ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମୋର ବନ୍ଧୁ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ମୋତେ ଗଭୀର ଭାବେ ଚିନ୍ତିତ କରିଛି। ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ମୃତ ଓ ଆହତଙ୍କ ପରିବାର ସହିତ ଆମର ସମବେଦନା ଏବଂ ପ୍ରାର୍ଥନା ରହିଛି ବୋଲି ମୋଦୀ କହିଛନ୍ତି। ସୂଚନା ଅନୁସାରେ ଆମେରିକା ପେନ୍ସିଲଭାନିଆର ବଟଲର୍ରେ ହୋଇଥିବା ରାଲିରେ ଜଣେ ଯୁବକ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଗୁଳି ତାଙ୍କ କାନକୁ ଛୁଇଁ ବାହାରି ଯାଇଥିଲା। ଏହି ସମୟରେ ତାଙ୍କ କାନ ଓ ମୁହଁରେ ରକ୍ତ ଦେଖିବାକୁ ମିଳିଥିଲା। ସେ ଅଳ୍ପକେ ରକ୍ଷା ପାଇଥିଲେ।ସିକ୍ରେଟ ସର୍ଭିସ୍ ଏଜେଣ୍ଟମାନେ ତାଙ୍କୁ ସୁରକ୍ଷିତ ଭାବେ ନେଇଯାଇଥିଲେ । ଏହି ଗୁଳି କାଣ୍ଡରେ ସୁଟର ଏବଂ ଟ୍ରମ୍ପଙ୍କର ଜଣେ ପ୍ରଶଂସକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ପ୍ରଶଂସକ ଆହତ ହୋଇଥିବା ବେଳେ। ସିକ୍ରେଟ ସର୍ଭିସ୍ ଅଧିକାରୀମାନେ ଏହି ଘଟଣାରେ ସଂପୃକ୍ତ ସୁଟରକୁ ହତ୍ୟା କରି ତଦନ୍ତ ଆରମ୍ଭ କରିଛନ୍ତି ।




















