• Latest
  • Trending

ବୀର ବାଲ୍ ଦିବସ: ଅମର ବଳିଦାନର ପ୍ରତୀକ

Dec-25-2024 04:56 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
odisha.newsroom.in

ବିଧାୟକଙ୍କ ବିବାଦୀୟ ବୟାନ: ଆମେ VIP, ଧାଡ଼ିରେ ଛିଡ଼ାହୋଇପାରିବୁନି

Mar-26-2026 06:38 PM IST
odisha.newsroom.in

ନାସାର ବଡ଼ ଯୋଜନା…ଜହ୍ନରେ ହେବ ସହର, ରହିବେ ଲୋକେ

Mar-26-2026 05:56 PM IST
odisha.newsroom.in

ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ମୁଲତବୀ…ସୋମବାର ଖୋଲିବ

Mar-26-2026 05:34 PM IST
ମୋହନଙ୍କ କଡା ଜବାବ , ବିରୋଧୀଙ୍କ ମୁହଁ ବନ୍ଦ ! 

ମୋହନଙ୍କ କଡା ଜବାବ , ବିରୋଧୀଙ୍କ ମୁହଁ ବନ୍ଦ ! 

Mar-26-2026 05:24 PM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ବୀର ବାଲ୍ ଦିବସ: ଅମର ବଳିଦାନର ପ୍ରତୀକ

ବୀର ବାଲ୍ ଦିବସର ଅନୁଚିନ୍ତା ; ଧନ୍ୟ ଶିଖ ଗୁରୁ ପରମ୍ପରା: ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

by M M
Dec-25-2024 04:56 PM IST
in ବିଶେଷ
0
491
SHARES
1.4k
VIEWS
Share on FacebookShare on Twitter

ଭାରତର ସେତେବେଳେ ଘୋର ଦୁର୍ଦ୍ଦଶା। ମୋଗଲ ଶାସକ ମାନଙ୍କର ଅତ୍ୟାଚାରରେ ଜର୍ଜରିତ ଭାରତ ମାତା। ମୋଗଲ ଶାହୀ, ଆଦିଲ ଶାହୀ , କୁତବ ଶାହୀ , ନିଜାମ୍ ଶାହୀ ଓ ବ୍ରିଟିଶ ଶାହୀ ଆଦି ପାଞ୍ଚୋଟି ବୈଦେଶିକ ସତ୍ତାକୁ ଛିନ୍ନ ଭିନ୍ନ କରି ହିନ୍ଦୁପଦ ପାଦଶାହୀର ପ୍ରତିଷ୍ଠା କରିଥିବା ପ୍ରବଳ ପରାକ୍ରମୀ ଛତ୍ରପତି ଶିବାଜୀ ମହାରାଜାଙ୍କର ଅଳ୍ପ ବୟସରେ ମୃତ୍ୟୁ ହେବା କାରଣରୁ ହିନ୍ଦୁ ସମାଜ ଯେପରି ଅସହାୟ ହୋଇ ପଡ଼ିଥାଏ। ମରାଠା ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥାଏ। ପ୍ରବଳ ପରାକ୍ରମୀ ରାଜପୁତ ଶକ୍ତି ମଧ୍ୟ ଏକତାର ଅଭାବ ଓ ବିଶ୍ୱାସ ଘାତକତା କାରଣରୁ ଶକ୍ତିହୀନ ହୋଇସାରିଥାଏ। ବୁନ୍ଦେଲଖଣ୍ଡ ଧ୍ଵଂସ ପ୍ରାୟ। ଏହିପରି ଏକ ନୈରାଶ୍ୟପୂର୍ଣ୍ଣ ସମୟରେ ହିନ୍ଦୁ ସମାଜ ପଞ୍ଜାବରେ ନବୋଦିତ ସୂର୍ଯ୍ୟ ସମ ତେଜସ୍ଵୀ ଗୁରୁ ଗଦ୍ଦି ଆଡ଼କୁ ଆଶା ଭରା ଦୃଷ୍ଟିରେ ଚାହିଁଥାଏ। ଶିଖ ଗୁରୁ ମାନଙ୍କର ହିନ୍ଦୁଧର୍ମ, ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ତ୍ୟାଗ, ତପସ୍ୟା ଓ ବଳିଦାନର ପରମ୍ପରା ଭାରତ ଇତିହାସର ଏକ ଗୌରବୋଜ୍ଵଳ ଅଧ୍ୟାୟ।
ଶିଖ ମାନଙ୍କର ନବମ ଗୁରୁ ତେଗବାହାଦୂରଙ୍କର ବଳିଦାନ ପରେ ସମଗ୍ର ଭାରତ ବର୍ଷରେ ହିନ୍ଦୁ ମାନଙ୍କ ଭିତରେ ଅଦ୍ଭୁତ ଜାଗରଣ ହେଲା। ଦଶମ ଗୁରୁ ଗୋବିନ୍ଦ ସିଂହ ୧୬୯୯ ଖ୍ରୀଷ୍ଟାବ୍ଦର ବୈଶାଖୀ ଦିନ ଆନନ୍ଦପୁର ସାହିବରେ ଖାଲସା ପନ୍ଥର ସ୍ଥାପନା କଲେ। ଶିଖ ମାନଙ୍କୁ ଏକ ଯୋଦ୍ଧା ଜାତିରେ ପରିଣତ କରି ହିନ୍ଦୁ ଧର୍ମର ସୁରକ୍ଷା କରିବା ଏହାର ଉଦ୍ଦେଶ୍ୟ ଥିଲା।
ଅତ୍ୟାଚାରୀ ଆଉରଙ୍ଗଜେବ ଓ ଅନ୍ୟ ମୋଗଲ ଶାସକ ମାନେ ହିନ୍ଦୁ ମାନଙ୍କର ବଳପୂର୍ବକ ଧର୍ମାନ୍ତରଣ, ନିଷ୍ଠୁରତା ପୂର୍ବକ ହତ୍ୟା, ନାରୀମାନଙ୍କର ବର୍ବରତା ପୂର୍ବକ ଶୀଳ ହରଣ ଓ ମଠ, ମନ୍ଦିର ଭାଙ୍ଗିବା ଆଦି ଭୟାନକ କାମକରି ହିନ୍ଦୁ ଧର୍ମକୁ ସମାପ୍ତ କରିବା ଉଦ୍ଦେଶ୍ୟରେ ଲାଗି ପଡ଼ିଲେ।
ସେତେବେଳେ ଦୁର୍ଭାଗ୍ୟର ବିଷୟ ଯେ, କେତେକ ଶିଖ ଓ ଉଚ୍ଚ ଜାତିର ହିନ୍ଦୁ ଖାଲସା ପନ୍ଥର ପ୍ରତିଷ୍ଠାକୁ ବିରୋଧ କରିଥିଲେ ଓ ବିଶ୍ୱାସଘାତକତା କରିଥିଲେ। ହାୟ ! ସମ୍ପୂର୍ଣ୍ଣ ସମାଜର ସହଯୋଗ ମିଳିଥିଲେ ହୁଏତ ଏକ ପ୍ରଚଣ୍ଡ ସଂଗଠିତ ଶକ୍ତି ଦ୍ଵାରା ଏହି ବିଦେଶୀ ବର୍ବର ଆକ୍ରମଣକାରୀ ମାନଙ୍କୁ ହଟାଇବା ସମ୍ଭବ ହୋଇଥାନ୍ତା।
ସରହିନ୍ଦର ମୋଗଲ ସୁବେଦାର ବଜିର ଖାଁ ଓ କିଛି ପାହାଡି ରାଜା ମିଶି ଗୁରୁ ଗୋବିନ୍ଦ ସିଂହ ରହୁଥିବା ଆନନ୍ଦପୁର ସାହିବ ଉପରେ ଆକ୍ରମଣ କଲେ। ଶିଖ ମାନେ ଯୁଦ୍ଧରେ ଅଦ୍ଭୁତ ବୀରତ୍ଵ ପ୍ରଦର୍ଶନ କଲେ। ସାତମାସ କାଳ ଦୁର୍ଗ ଅବରୋଧ କରିବା ପରେବି ମୋଗଲମାନେ ଦୁର୍ଗ ଦଖଲ କରି ପାରିନଥିଲେ। ହତାଶ ହୋଇ ଆଉରଙ୍ଗଜେବ ଗୁରୁଜୀଙ୍କୁ ସନ୍ଦେଶ ପଠାଇଲା ଓ କୁରାନର ଶପଥ ନେଇ ଦୁର୍ଗ ଖାଲି କରିବା ପାଇଁ ବିନତି କଲା ଓ ଦୁର୍ଗ ଛାଡ଼ି ଦେଲେ ତାଙ୍କ ସହ ଯୁଦ୍ଧ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଲା। ବିଶ୍ୱାସ ନ କରୁଥିଲେ ବି ଶିଖ ମାନଙ୍କ ପରାମର୍ଶ କ୍ରମେ ଗୁରୁଜୀ ଡିସେମ୍ବର ୨୦, ୧୭୦୪ ମସିହାରେ ଗଭୀର ରାତିରେ ନିଜର ପ୍ରିୟ ଆନନ୍ଦପୁର ସାହିବ ଦୁର୍ଗ ଛାଡ଼ି ସପରିବାର ବାହାରକୁ ଚାଲିଲେ । ଉଚ୍ଚ ପାହାଡ଼ ଉପରେ ସ୍ଥିତ ଏହି ଦୁର୍ଗ ପ୍ରାଚୀରକୁ ଅନେକ ସମୟ ଚାହିଁଲେ। ଏହି ଦୁର୍ଗରେ ତାଙ୍କର ବାଲ୍ୟ, କୈଶୋର ,ଯୌବନ କଟିଛି। ଏହାରି ପ୍ରାଙ୍ଗଣରେ ସେ କ୍ରୀଡା, ଯୋଗାଭ୍ୟାସ ଓ ଯୁଦ୍ଧ୍ୱଭ୍ୟାସ କରିଛନ୍ତି। ଏଠାରେ ତାଙ୍କ ପିତା ଗୁରୁ ତେଗବହାଦୂରଙ୍କ ସ୍ନେହପୂର୍ଣ୍ଣ ମାର୍ଗଦର୍ଶନ ପାଇଛନ୍ତି। ବଡ଼ ବଡ଼ ବୀର ମାନଙ୍କ ସମ୍ମୁଖରେ ନିଜର ପରାକ୍ରମ ପ୍ରଦର୍ଶନ କରିଛନ୍ତି। ଏଠାରେ ଗୁରୁ ନାନକଙ୍କ ଗୁରୁ ପରମ୍ପରାର ଉତ୍ତରାଧିକାରୀ ରୂପେ ଏକ ସମର୍ପିତ ସମାଜର ଆଧ୍ୟାତ୍ମିକ ନେତୃତ୍ୱ କରିବାର ଗୁରୁ ଦାୟିତ୍ଵ ବହନ କରିଛନ୍ତି। ଆଜି ଏହି ସବୁ ସ୍ମୃତି ତାଙ୍କୁ ଭାବୁକ କରିଦେଲା, ହୃଦୟ ରୋମନ୍ଥିତ ହେଲା, ଆଖି ଅଶ୍ରୁସିକ୍ତ ହେଲା। ହୁଏତ ଆଉଥରେ ଏହି ସ୍ଥାନକୁ ଫେରିବା ତାଙ୍କ ପକ୍ଷେ ସମ୍ଭବ ନ ହୋଇପାରେ। ମାତ୍ର ସେ ଜାଣିଥିଲେ ଯେ, ଉଚ୍ଚତର ଲକ୍ଷ୍ୟ ହାସଲ ପାଇଁ ବେଳେ ବେଳେ ଏପରି ବଳିଦାନ ଅନିବାର୍ଯ୍ୟ ହୋଇଥାଏ।
କିଛି ଦୂର ଯିବାପରେ ହଠାତ୍ ନିଜର କୁରାନର କସମ୍ କୁ ପଦାଘାତ କରି ବିଶ୍ୱାସ ଘାତକ ଆଉରଙ୍ଗଜେବର ସେନା ପଛଆଡୁ ଆକ୍ରମଣ କଲେ। ପଛରେ ରକ୍ଷାପଂକ୍ତିର ନେତୃତ୍ୱ ନେଇ ଗୁରୁଜୀଙ୍କର ବଡ଼ ପୁଅ ୧୭ ବର୍ଷୀୟ ଅଜିତ ସିଂହ ଶତ୍ରୁପକ୍ଷର ସାମ୍ନା କଲେ। ଗୁରୁଜୀଙ୍କ ପରିବାର ଇତସ୍ତତଃ ହୋଇଗଲେ। ଗୁରୁଜୀଙ୍କ ସହିତ ବଡ଼ପୁଅ ଅଜିତ ସିଂହ (୧୭ ବର୍ଷ) ଓ ଦ୍ଵିତୀୟ ପୁତ୍ର ଯୁଝାର ସିଂହ (୧୪ ବର୍ଷ) ଓ ପ୍ରାୟ ୪୦ ଶିଖ ଯୋଦ୍ଧା ରହିଥିଲେ।
ଗୁରୁଜୀ ମା ଗୁର୍ଜରୀ ଦେବୀ ଓ ୩ୟ ପୁତ୍ର ଯୋରାବର୍ ସିଂହ ଏବଂ ୪ର୍ଥ ତଥା ସବା ସନ ପୁଅ ଫତେ ସିଂହ ଅଲଗା ଚାଲିଥିଲେ। କୁଆଡେ ଯାଉଥିଲେ କାହାରିକୁ ଜଣା ନାହିଁ। ଗୁରୁଜୀଙ୍କ ପାଖରେ ରୋଷେଇ କରୁଥିବା ଗଙ୍ଗ ନାମକ ଜଣେ ବ୍ୟକ୍ତି ସହ ଏମାନଙ୍କର ଭେଟ ହେଲା। ସେ ଏହି ୩ ଜଣଙ୍କୁ ନେଇ ନିଜ ଘରେ ରଖି ଖିଆପିଆ କରାଇଲା। ଏଣେ ଗୁରୁଜୀ ଓ ଅନ୍ୟ ଦୁଇ ପୁଅ ସିରସା ନଦୀର କୁଳ ପ୍ଲାବିନି ରୂପ ଦେଖି ସ୍ତବ୍ଧ ହେଲେ। ବରଫ ପରି ଥଣ୍ଡା ସେହି ପାଣିରେ ଅନେକ ଶିଖ ମରିଗଲେ। ଗୁରୁଜୀ ବହୁ କଷ୍ଟରେ ସିରସା ନଦୀ ପାର ହୋଇ ଚମକୌର ନାମକ ଗାଁରେ ଜଣେ ଶ୍ରଦ୍ଧାଳୁ ବ୍ୟକ୍ତିର ମାଟି ଘରେ ଆଶ୍ରୟ ନେଲେ ଓ ପାଞ୍ଚ ପାଞ୍ଚ ଜଣ ଶିଖଙ୍କୁ ଗୋଟିଏ ଗୋଟିଏ ଦଳରେ ବିଭକ୍ତ କରି ମୋଗଲ ସେନାଙ୍କୁ ସାମ୍ନା କରିବା ପାଇଁ ପଠାଇଲେ। ଇତିହାସ ମୁଗ୍ଧ ନେତ୍ରରେ ଏହି ବୀରତାପୂର୍ଣ୍ଣ ଯୁଦ୍ଧକୁ ଦେଖିଛି ଯେଉଁଥିରେ କେବଳ ଚାଳିଶ ଜଣ ଶିଖ ୮୦ ହଜାର ମୋଗଲ ସୈନିକଙ୍କ ସହ ଲଢ଼ି ବୀର ଗତି ପ୍ରାପ୍ତ ହୋଇଛନ୍ତି।
ଅବଶେଷରେ ସେହି ମୁହୂର୍ତ୍ତ ଆସିଲା ଯାହାକୁ ଇତିହାସ ଅଧିର ଆଗ୍ରହରେ ଅପେକ୍ଷା କରିଥିଲା। ଅଜିତ ସିଂହ (୧୭) ଓ ଜୁଝାର ସିଂହ (୧୪) ଯୁଦ୍ଧ ପାଇଁ ଅନୁମତି ମାଗିଲେ। ଅତି ଆଗ୍ରହରେ ଗୁରୁଜୀ ଅନୁମତି ଦେଲେ। ଜଣେ ପୁଅ ଟିକିଏ ପାଣି ମାଗିଲା। ପାଣି ନଥିଲା। ପ୍ରଚଣ୍ଡ ପୁରୁଷାର୍ଥର ପ୍ରତୀକ ଗୁରୁଜୀ କହିଲେ,” ବେଟା, ବୀର ପୁରୁଷ ପାନି ସେ ନହିଁ, ଦୁଷ୍ମନୋ କି ଲହୁ ସେ ପ୍ୟାସ ବୁଝାତେ ହୈ।” ନୂଆ ପ୍ରେରଣା ନେଇ ଦୁଇଭାଇ ଯୁଦ୍ଧର ନେତୃତ୍ୱ କଲେ। ଶହ ଶହ ମୋଗଲ ସେନାକୁ ହତ୍ୟା କଲେ। ବନ୍ଧୁକର ଗୁଳି ସରିଯିବାରୁ ଭାଲା ଦ୍ଵାରା, ଭାଲା ଭାଙ୍ଗି ଯିବାରୁ ତରବାରୀ ଦ୍ଵାରା ଓ ତରବାରୀ ଭାଙ୍ଗି ଯିବାରୁ ବାହୁ ଯୁଦ୍ଧ କରି ଶେଷରେ ବୀରଗତିକୁ ପ୍ରାପ୍ତ ହେଲେ।
ଗୁରୁଜୀ ନିଜ ସମ୍ମୁଖରେ ତାଙ୍କ ଦୁଇ ପୁଅଙ୍କର ଯୁଦ୍ଧ କୌଶଳ ଓ ଧର୍ମ ପାଇଁ ବଳିଦାନକୁ ଦେଖି ଗର୍ବିତ ହେଲେ। ଆକାଶକୁ ଚାହିଁ ସେ କୃତଜ୍ଞତା ଜ୍ଞାପନ କରି କହିଲେ,” ହେ ଆକାଶ ! ତୁମେ ଯାହା ଦେଇଥିଲ, ଆଜି ତାହା ତୁମକୁ ଫେରାଇଦେଲି।” କି ଅଦ୍ଭୁତ ବଳିଦାନ ।
ଏଣେ ରାତିରେ ଗଙ୍ଗୁ ଘରେ ଗୋଟିଏ ଦରିରେ ଗୁରୁଜୀଙ୍କ ମାତା ଗୁର୍ଜରୀ ଦେବୀ ଓ ଦୁଇ ପୁଅ ଶୋଇ ଥାଆନ୍ତି। ରାତିରେ ଶୋଇଥିବା ଗୁରୁମାତାଙ୍କ ପାଖରେ ଥିବା କିଛି ସୁନା ମୋହରକୁ ଗଙ୍ଗୁ ଚୋରି କରିନେଲା ଓ ଗୁରୁମାତା ସକାଳୁ ପଚାରିବାରୁ ପ୍ରଚଣ୍ଡ କ୍ରୋଧରେ ଗାଳି କରିବାକୁ ଲାଗିଲା। ଏହାପରେ ସେହି ଘରେ ତାଙ୍କୁ ତାଲା ପକାଇ କିଛି ଅର୍ଥ ଲାଳସାରେ ଗାଁ ମୁଖିଆଙ୍କ ମାଧ୍ୟମରେ ସରହିନ୍ଦର ନବାବକୁ ଜଣାଇଲା। ନବାବ ସେହି ଦୁଇ ବାଳକଙ୍କୁ ସରହିନ୍ଦର କିଲ୍ଲାର ଗୋଟିଏ ମିନାର ଭିତରେ ନଜରବନ୍ଦୀ କରିବା ପାଇଁ ଆଦେଶ ଦେଲା । ଏହାପରେ ୯ ଡିସେମ୍ବର ୧୭୦୫ ଦିନ ନବାବ ସମ୍ମୁଖରେ ଉପସ୍ଥିତ କରାଇବାର ଆଦେଶ ଦିଆଗଲା। ନିଜ ନାତି ମାନଙ୍କୁ ମୃତ୍ୟୁଦୂତ ହାତରେ ଛାଡ଼ିବା ଗୁର୍ଜରୀ ଦେବୀଙ୍କ ପକ୍ଷରେ ବଡ଼ ପୀଡ଼ାଦାୟକ। ଛାତି ଫାଟି ପଡୁଛି। ରକ୍ତାକ୍ତ ହୃଦୟ। ଯୋରାବର ସିଂହ ଓ ଫତେ ସିଂହ ଦୁଇ ଭାଇ ସିଂହ ଶିଶୁ ପରି ମସ୍ତକରେ ପଗଡ଼ି, କଟିରେ କୃପାଣ ସହିତ ଦୃଢ଼ ପଦକ୍ଷେପରେ ଯାଇ ଦରବାରରେ ପହଞ୍ଚିଲେ। ଦୁଇ ଜଣଙ୍କ କଣ୍ଠରେ ବଜ୍ରନିନାଦରେ ଝଙ୍କୃତ ହେଲା।
“ଯୋ ବୋଲେ ସୋ ନିହାଲ ସତ୍ ଶ୍ରୀ ଅକାଲ,
ୱାହି ଗୁରୁଜୀ କା ଖାଲସା
ୱାହି ଗୁରୁଜୀ କି ଫତେହ।
ଆଖିରେ ପ୍ରଚଣ୍ଡ ଆତ୍ମବିଶ୍ବାସର ଝଲକ, ବାଣୀରେ ଅପୂର୍ବ ତେଜ, ଦୁର୍ବାର ସାହସ। କିଏ ଏହି ତେଜସ୍ଵୀ ବାଳକ ? ଯୋରାବର ସିଂହ (୭ ବର୍ଷ ୧୧ ମାସ) , ଫତେହ ସିଂହ (୫ ବର୍ଷ ୧୦ ମାସ)। ଦରବାରରେ ନବାବ, ଅନ୍ୟାନ୍ୟ ନବାବ ଗଣ, ସୈନ୍ୟ, ସେନାପତି ଭରପୁର। ଏପରି ସାହସ ଦେଖି ସମସ୍ତେ ଅବାକ୍। ଜଡ଼ତା ଭାଙ୍ଗି ଜଣେ ୱଜିର ଓ ପରେ ନବାବ କହିଲେ, ବାଳକ ଚମକୌରର ଯୁଦ୍ଧରେ ତୁମର ପିତା ଦଶମ ଗୁରୁ ଗୋବିନ୍ଦ ସିଂହ, ତୁମର ଦୁଇ ଭାଇ, ମା ଓ ସମସ୍ତ ଶିଖ ସୈନିକ ମରି ସାରିଛନ୍ତି। ତୁମର ବଞ୍ଚିବାର ଏକମାତ୍ର ରାସ୍ତା ମୋଗଲ ଶାସକଙ୍କ ପାଖରେ ମଥାନତ କରି ସମ୍ମାନ ପ୍ରଦର୍ଶନ କର ଓ ଇସଲାମ ସ୍ବୀକାର କର। ତାହେଲେ ତୁମର ଜୀବନ ସୁରକ୍ଷିତ ହେବ। ଜାଗିରି ମିଳିବ ଓ ଆରାମରେ ରହିବ। ଦୁଇ ଜଣଙ୍କୁ ସୁନ୍ଦରୀ କନ୍ୟାଙ୍କ ସହ ବିବାହ କରି ଦିଆଯିବ।’
ଦୃଢ଼ ଆତ୍ମ ପ୍ରତ୍ୟୟର ସହ ଯୋରାବର ସିଂହ କହିଲେ,” ଆମେ ଈଶ୍ୱର ଓ ଗୁରୁଙ୍କ ବ୍ୟତୀତ ଆଉ କାହା ସମ୍ମୁଖରେ ନତ ମସ୍ତକ ହେବାର ପ୍ରଶ୍ନ ଉଠୁନାହିଁ। ଧର୍ମ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ। ଆମ ଦେହରେ ଗୁରୁ ତେଗବହାଦୂର୍ ଓ ଗୁରୁ ଗୋବିନ୍ଦ ସିଂହଙ୍କ ରକ୍ତ ପ୍ରବାହିତ ହେଉଛି। ଆମ ପୂର୍ବଜ ମାନଙ୍କର ଧର୍ମରୁ ଆମକୁ କେହି ହଲେଇ ପାରିବେ ନାହିଁ। ” ଦୁଇ ଭାଇ ପୁଣି କହିଲେ,” ଆମକୁ ଜାଗିର୍, ଅର୍ଥ ବା ପଦପଦବୀ ଦରକାର ନାହିଁ। ଆମେ ପ୍ରାଣ ତ୍ୟାଗ ପଛେ କରିଦେବୁ, କିନ୍ତୁ ଧର୍ମ ନୁହେଁ। ତୁମର କୌଣସି ପ୍ରଲୋଭନ ଆମକୁ ପ୍ରଲୋଭିତ କରି ପାରିବ ନାହିଁ। ତୁର୍କୀ ମାନଙ୍କର କ୍ରୁରତା ହିଁ ସେମାନଙ୍କର ବିନାଶର କାରଣ ହେବ।”
ଏହି ସାହସ ପୂର୍ଣ୍ଣ ଉତ୍ତରରେ କ୍ରୋଧିତ ନବାବ ବାରମ୍ବାର ପ୍ରଲୋଭନ, ଭୟ ଆଦି ପ୍ରଦର୍ଶନ କରି ବିଫଳ ହେବା ପରେ କାଜିଙ୍କ ପରାମର୍ଶ କ୍ରମେ ଦୁଇଜଣ ବଳକଙ୍କୁ କାନ୍ଥରେ ଇଟା ଦ୍ଵାରା ପ୍ଲାଷ୍ଟର କରି ଚାପି ମାରିଦେବା ପାଇଁ ସ୍ଥିର କଲା। ଯେତେବେଳେ ଇଟାର ପ୍ଲାଷ୍ଟର୍ କରାଗଲା ଏହି ବାଳକ ଦ୍ୱୟଙ୍କର ବୀରତ୍ୱପୂର୍ଣ୍ଣ ବଳିଦାନକୁ ସ୍ମରଣ ଓ ନିଜର ଭୀରୁତା ବିଷୟରେ ଭାବି ସେ କାନ୍ଥ ହୁଏତ ଆତ୍ମ ଗ୍ଲାନିରେ ପଶ୍ଚାତ୍ତାପ କରିଥିବ। ଯେତେବେଳେ ପ୍ଲାଷ୍ଟର ବେକ ପର୍ଯ୍ୟନ୍ତ ପହଁଚିଲା, ନବାବ କହିଲା,” ଏବେବି ସମୟ ଅଛି। ପ୍ରାଣ ବଞ୍ଚାଇବା ପାଇଁ ସୁଯୋଗ ଅଛି। ଇସଲାମ ସ୍ବୀକାର କର।” ଏହି କଥାର କୌଣସି ପ୍ରଭାବ ବାଳକ ମାନଙ୍କ ଉପରେ ପଡ଼ି ନଥିଲା।
ଏହାପରେ ପ୍ରଥମେ ଫତେହ ସିଂହ ଇଟା କାନ୍ଥରେ ପୁରା ଚାପିଗଲେ। ଏହାକୁ ଦେଖି ଯୋରାବର୍ ସିଂହଙ୍କ ଆଖିରୁ ଲୁହ ଝରି ପଡ଼ିଲା। ନବାବ ଭାବିଲା ମୃତ୍ୟୁ ଭୟରେ ବୋଧହୁଏ ଡରିଯାଇ କାନ୍ଦୁଛି। ତେଣୁ ସେ କହିଲା ,” ଯଦି ଡର ଲାଗୁଛି ଏବେ ଇସଲାମ ସ୍ବୀକାର କରି ପ୍ରାଣ ବଞ୍ଚାଇ ପାରିବୁ।” ଏହା ଶୁଣି ଯୋରାବର୍ ସିଂହ ପୂର୍ଣ୍ଣ ଆତ୍ମ ବିଶ୍ଵାସରେ କହିଲେ,” ଆରେ ମୂର୍ଖ ! ମୃତ୍ୟୁ ଡରରେ କାନ୍ଦୁନାହିଁ। ମାତୃଗର୍ଭରୁ ପ୍ରଥମେ ମୁଁ ଭୂମିଷ୍ଠ ହୋଇଥିଲି। ମାତ୍ର ଦେଶ, ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ପ୍ରଥମ ବଳିଦାନର ସୁଯୋଗ ମୋତେ ନୁହେଁ, ମୋର ସାନ ଭାଇକୁ ମିଳିଲା, ସେଥିପାଇଁ କାନ୍ଦୁଛି।” ଏସବୁ ଶୁଣି ନବାବ ଅବାକ୍ ହେଉଥିଲା। ବିଶ୍ଵ ଇତିହାସରେ ରାଷ୍ଟ୍ର, ଧର୍ମ ଓ ସଂସ୍କୃତିର ପାଇଁ ବଳିଦାନର ଏପରି ଅନୁପମ ଉଦାହରଣ ସମ୍ଭବତଃ ଆଉ ଦ୍ଵିତୀୟ ନାହିଁ ।
ମହାନ୍ ଗୁରୁ ଗୋବିନ୍ଦ ସିଂହଙ୍କର ତ୍ୟାଗ, ତପସ୍ୟା ଓ ବଳିଦାନ ବିଷୟରେ ସାରା ଦୁନିଆଁ ଜାଣିଛି। ମାତ୍ର ଏହି ବୀର ବାଳକ ମାନଙ୍କର ଅଦ୍ଭୁତ ବୀରତ୍ୱ ଓ ବଳିଦାନ ବିଷୟରେ ସମ୍ଭବତଃ ଲୋକେ ଏତେ ଜାଣି ନଥିବେ।
ଏଣୁ ଏହି ବୀର ବାଳକ ମାନଙ୍କର ବଳିଦାନର ସମ୍ମାନରେ ୯ ଡିସେମ୍ବର ୨୦୨୨ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ଡିସେମ୍ବର ୨୬ ଦିନ ‘ବୀର ବାଲ୍ ଦିବସ’ ସମଗ୍ର ଦେଶରେ ପାଳନ କରିବା ପାଇଁ ଆହ୍ଵାନ ଦେଲେ। ସେବେଠାରୁ ଏହା ପାଳିତ ହୋଇ ଆସୁଅଛି। ଗୁରୁଜୀଙ୍କର ଏହି ଚାରିଜଣ ଯାକ ବୀରପୁତ୍ର ଅତି ଅଳ୍ପ ବୟସରେ ରାଜକୀୟ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କଲେ। ଭୟ ଦ୍ଵାରା ପ୍ରଭାବିତ ହେଲେ ନାହିଁ। ଅନ୍ୟାୟ ସମୁଖରେ ମଥାନତ କଲେନାହିଁ। ଦେଶ, ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ବଳିଦାନ ହୋଇଗଲେ। ଏଥିରୁ ସମଗ୍ର ରାଷ୍ଟ୍ର ନୂତନ ପ୍ରେରଣା ପ୍ରାପ୍ତ ହେବ।
ନିଜର ଜୀବନ ଠାରୁ ଜୀବନର ମୂଲ୍ୟବୋଧକୁ ଏମାନେ ଅଧିକ ମହତ୍ତ୍ଵ ଦେଇଥିବାରୁ ଏପରି ମହାନ୍ କାର୍ଯ୍ୟ କରିପାରିଲେ। ଏଣୁ ବାଲ୍ୟକାଳରୁ ଏକ ଆଦର୍ଶ , ଏକ ଜୀବନ ମୂଲ୍ୟ ଧାରଣ କରିବା ଅତି ଆବଶ୍ୟକ।
ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଓ ତାଙ୍କ ୪ ବଳିଦାନୀ ପୁତ୍ରଙ୍କର ବୀରତ୍ବ ଦେଶକୁ ପ୍ରେରିତ କରିଛି ଯାହାଙ୍କ ହୃଦୟର ଏକମାତ୍ର ଭାବ
ନହିଁ ହମ୍ ଝୁକ୍ ନହିଁ ସକ୍ତେ ନହିଁ ହମ୍ ରୁକ୍ ନହିଁ ସକ୍ତେ।
ହମେ ଅପନା ଦେଶ ପ୍ୟାରା ହୈ, ହମେ ଅପନା ଗ୍ରନ୍ଥ ପ୍ୟାରା ହୈ।
ପିତା ଦଶମେଶ ପ୍ୟାରା ହୈ, ଶ୍ରୀ ଗୁରୁ ଗ୍ରନ୍ଥ ପ୍ୟାରା ହୈ।।
୨. ଯେତେବେଳେ ସେମାନଙ୍କୁ କାନ୍ଥ ଦେହରେ ଚାପି ଦିଆଯାଇଥିଲା ସେତେବେଳେ ସେମାନେ ଜପୁଜୀ ସାହିବ ପାଠ କରିବାକୁ ଲାଗିଲେ।
” ରଖୋ ଇଁଟେ ଭାରୋ ଗାରେ ଚୁନୋ ଦିୱର୍ ହତ୍ୟାରେ
ହମାରି ଶାଁସ ବୋଲେଗୀ, ହମାରୀ ଲାସ ବୋଲେଗୀ
ୟହି ଦୀଵାର ବୋଲେଗୀ ହଜାର ବାର୍ ବୋଲେଗୀ
ହମାରେ ଦେଶ କି ଜୟ ହୋ, ପିତା ଦଶମେଶ କି ଜୟ ହୋ
ହମାରେ ପନ୍ଥ କି ଜୟ ହୋ ଶ୍ରୀ ଗୁରୁ ଗ୍ରନ୍ଥ କି ଜୟ ହୋ।”

ଏହି ବୀର ବାଳକ ମାନଙ୍କୁ ଆଜି ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଧନ୍ୟ ଏହି ବୀର ବାଳକ ଚାରିଜଣ। ଧନ୍ୟ ବଳିଦାନୀ ଶିଖ ସୈନିକ ଗଣ। ଧନ୍ୟ ଶ୍ରୀ ଗୁରୁ ଗୋବିନ୍ଦ ସିଂହ। ଧନ୍ୟ ଶିଖ ଗୁରୁ ପରମ୍ପରା।

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ସାଂସଦ, ବାଲେଶ୍ଵର

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 1:52 PM
 

S
Overcast
36°C
2.8 m/s
Apparent: 32°C
Pressure: 1010 mb
Humidity: 97%
Winds: 2.8 m/s S
Windgusts: 7 m/s
UV-Index: 0
Precip.: 0mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom