ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖାଯାଇଥିଲା ।
ତେବେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେନ ଓ୍ବିଲିୟମସନ ୮୧ ରନ କରିଥିବାବେଳେ ମିଚେଲ ସାଣ୍ଟନର ୨୮ ରନ ଓ ଓ୍ବିଲ ୟଙ୍ଗ ୨୨ ରନ କରିଥିଲେ ।
ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଏହି ବିଜୟ ସହ ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଆସନ୍ତା ଚାରି ତାରିଖରେ ଭେଟିବ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ନିଜର ତାରକା ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିଲା ।
ରୋହିତ ଶର୍ମା ୧୫, ଶୁଭମନ ଗିଲ୍ ୨ ଓ ବିରାଟ କୋହଲି ୧୧ ରନ କରି ଆଉଟ ହେବା ପରେ ଭାରତର ସ୍କୋର ୩୦/୩ ହୋଇଯାଇଥିଲା । ତେବେ ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖାଯାଇଥିଲା । ଆୟର ୭୯ ରନ ଓ ଅକ୍ଷର ୪୨ ରନ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ସେହିପରି କେଏଲ ରାହୁଲ ୨୩ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୯ ରନ କରିଥିଲା ।