ମେଘାଳୟର ବ୍ୟାଟ୍ସମ୍ୟାନ୍ ଆକାଶ କୁମାର ଚୌଧୁରୀଙ୍କ ନାମକୁ ନେଇ ସବୁଠି ଚର୍ଚା । ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସରେ ତାଙ୍କର ଦମଦାର ବ୍ୟାଟିଂକୁ ନେଇ ସେ ଅବିଶ୍ୱସନୀୟ ରେକର୍ଡ କରି ତହଲକା ସୃଷ୍ଟି କରିଛନ୍ତି। ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍ରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳି ସେ ଗୋଟିଏ ଓଭରରେ ଲଗାତାର ଛଅଟି ଛକା ମାରି ଏହି ଦୁର୍ଲଭ ଉପଲବ୍ଧି ହାସଲ କରିଛନ୍ତି। ଯାହା ଫଳରେ ସେ ଆଗାମୀ ଦିନରେ ଆଇପିଏଲ ସହ ଭାରତ ଦଳରେ ସ୍ଥାନ ପାଇବେ ବୋଲି ଚର୍ଚା ଆରମ୍ଭ ହୋଇଛି । ଆକାଶ ଚୌଧୁରୀ ଏଠାରେ ଅଟକି ନଥିଲେ, ସେ ଲଗାତାର ୮ଟି ବଲରେ ୮ଟି ଛକା ମାରି କ୍ରିକେଟରେ ଏପରି ଏକ ରେକର୍ଡ କରିଛନ୍ତି, ଯାହା ପୂର୍ବରୁ କେବେ ହୋଇନଥିଲା। ସେ ରଣଜୀ ଟ୍ରଫିରେ ମେଘାଳୟ ପାଇଁ ଏହି ଐତିହାସିକ ଇନିଂସ୍ ଖେଳି ଭାରତୀୟ କ୍ରିକେଟରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି।
ଏହି ଚମତ୍କାର ପ୍ରଦର୍ଶନ ସହିତ, ଆକାଶ ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସରେ ଏକ ଓଭରରେ ଛଅ ଛକା ମାରିବାରେ ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବରେ ପରିଗଣିତ ହୋଇଛନ୍ତି। ସେ ମହାନ ଖେଳାଳି ରବି ଶାସ୍ତ୍ରୀ ଏବଂ ଗ୍ୟାରୀ ସୋବର୍ସଙ୍କ ଭଳି ଖାସ୍ କ୍ଲବରେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି। ଦକ୍ଷିଣ ଆଫ୍ରିକାର ମାଇକ୍ ପ୍ରୋକ୍ଟର ମଧ୍ୟ ଲଗାତାର ଛଅ ଛକା ମାରିଛନ୍ତି, କିନ୍ତୁ ସେ ଦୁଇଟି ଓଭରରେ ଏହି କାରନାମା କରିଥିଲେ।
ମେଘାଳୟ ପାଳିର ୧୨୬ ତମ ଓଭରରେ, ଆକାଶ ବାମହାତୀ ସ୍ପିନର ଲିମର୍ ଡାବିଙ୍କ ପ୍ରତ୍ୟେକ ବଲକୁ ବାଉଣ୍ଡ୍ରି ବାହାରକୁ ପଠାଇଥିଲେ। କେବଳ ଏତିକି ନୁହେଁ, ସେ ନିଜର ଏହି ଧମାକାଦାର ଇନିଂସ୍ ମଧ୍ୟରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସର ଦ୍ରୁତତମ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଛନ୍ତି।















