ଆମାଜନ (Amazon) କର୍ମଚାରୀମାନଙ୍କ ମଧ୍ୟରେ ଲାଗିରହିଛି ଚାକିରି ଛଟେଇର ଭୟ । ଯାହା କି ହଜାର ହଜାର କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ପ୍ରଭାବ । ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେବା ପରେ ଏବେ ଏହି ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଆରମ୍ଭ ହୋଇଯାଇଛି। କମ୍ପାନୀ ବିଶ୍ୱବ୍ୟାପୀ ପ୍ରାୟ ୧୪,୦୦୦ କର୍ପୋରେଟ୍ ଚାକିରି ହ୍ରାସ କରିବାକୁ ଯୋଜନା କରିଥିବା ଘୋଷଣା କରିବା ପରେ କର୍ମଚାରୀମାନେ ଭୟରେ ଅଛନ୍ତି । ଏହି ସମୟରେ, ରେଡିଟ୍ (Reddit) ରେ ଜଣେ ଉପଭୋକ୍ତା ତାଙ୍କର ଜଣେ ବନ୍ଧୁଙ୍କ ଅନୁଭୂତି ବର୍ଣ୍ଣନା କରିଛନ୍ତି, ଯିଏ ବର୍ତ୍ତମାନ ଆମାଜନରେ କାର୍ଯ୍ୟ କରୁଛନ୍ତି।

ସେ ଲେଖିଛନ୍ତି”ଯେଉଁ ଲୋକ ନିଜ କାମକୁ ଭଲପାଏ, ତାକୁ ଛଟେଇର ଚିନ୍ତା ବହୁତ ପ୍ରଭାବିତ କରିଥାଏ । ତାଙ୍କ ବନ୍ଧୁ ଜଣକ ଏବେ ସର୍ବଦା ଭୟ ଓ ଚିନ୍ତାରେ ରହୁଛନ୍ତି। ବନ୍ଧୁ ଜଣକ କମ୍ପାନିର ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ବ୍ୟକ୍ତି ହୋଇଥିଲେ ମଧ୍ୟ ଛଟେଇ ଖବର ବ୍ୟାପିବା ଦିନଠାରୁ ସେ ଭୟରେ ଅଛନ୍ତି।
ପୋଷ୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ବିଲକୁଲ୍ ଶୋଇପାରୁନାହାଁନ୍ତି । କେବେ କାଳେ ତାଙ୍କ ପାଖକୁ ଚାକିରି ଛଟେଇ ଇମେଲକୁ ଆସିଯିବ ସେ ମେଲ ବାରମ୍ବାର ଚେକ କରୁଛନ୍ତି । ଆହୁରି ମଧ୍ୟ ଲେଖିଛନ୍ତି, “ସେ ବହୁତ କମ୍ ଶୁଅନ୍ତି, ହୁଏତ ରାତିକୁ ୨ କିମ୍ବା ୩ ଘଣ୍ଟା ମାତ୍ର। ପୂର୍ବରୁ ଛଟେଇ ହୋଇଥିବା ଲୋକମାନେ ଅଧ ରାତି କିମ୍ବା ସକାଳୁ ଇମେଲ୍ ପାଇଥିଲେ। ତେଣୁ ସେହି ନୋଟିଫିକେସନର କାଳେ ରାତିରେ ଆସିଯିବ ଯାହା ତାଙ୍କୁ ଶୋଇବାରେ ବ୍ୟାଘାତ ହୋଇପାରେ ।
ଏହି ପୋଷ୍ଟ ଭାଇରାଲ୍ ହେବା ପରେ, ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ନିଜର ଅନୁଭୂତି ଲେଖିଛନ୍ତି । ଜଣେ କହିଛନ୍ତି, “ମୁଁ ଏହି ସମସ୍ୟା ଦେଇ ଗତି କରିଛି। ସେତେବେଳେ ମୋତେ ଖାଇବାକୁ ଇଚ୍ଛା ହେଉନଥିଲା ।
ଅନ୍ୟ କିଛି ଲୋକ ଉକ୍ତ ଆମାଜନ କର୍ମଚାରୀଙ୍କୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଜଣେ ଲେଖିଛନ୍ତି, “ଯଦି ସେ ଆମାଜନ ସାକ୍ଷାତକାର ପାସ୍ କରିପାରିଛନ୍ତି, ତେବେ ସେ ଅନ୍ୟ କମ୍ପାନୀର ମଧ୍ୟ କରିପାରିବେ। ଟଙ୍କା ରଖନ୍ତୁ ଏବଂ ଜୀବନ ଉପଭୋଗ କରନ୍ତୁ।” ଆଉ ଜଣେ ମନ୍ତବ୍ୟ ଦେଇଛନ୍ତି ଯେ, “ଯଦି ସେ ପ୍ରକୃତରେ ପ୍ରତିଭାଶାଳୀ, ତେବେ ସେ ଅନ୍ୟ ଭଲ କମ୍ପାନୀରୁ ସହଜରେ ଚାକିରି ପାଇପାରିବେ।”
ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଆଣ୍ଡି ଜାସି (Andy Jassy) କମ୍ପାନୀ ଅର୍ଥକାଟ କରୁଛନ୍ତି । ଅଧିକ କୁଶଳୀ ଶ୍ରମିକ ରଖିବାକୁ ଚାହୁଁଛନ୍ତି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଏସବୁର ଅଧିକ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହି ଛଟେଇ କରୁଥିବା ଜଣାପଡିଛି।



















