ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣା ସମେତ ଅନେକ ସାଂଘାତିକ ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ ଆଜି ଭାରତ ଫେରିଛି । ଦିଲ୍ଲୀରେ ପହଞ୍ଚିବା ପରେ ଏନଆଇଏ ଅନମୋଲଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ପରେ ଅନମୋଲଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା। ଅନମୋଲ ବିଷ୍ଣୋଇ ଭାରତରେ ଅନେକ ହାଇ-ପ୍ରୋଫାଇଲ୍ ହତ୍ୟାକାଣ୍ଡ, ଅପରାଧିକ ମାମଲାରେ ୱାଣ୍ଟେଡ୍ ଥିଲା । ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣାରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ମଧ୍ୟ ତା’ର ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।
ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ବାସଭବନ ସମ୍ମୁଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ମଧ୍ୟ ସେ ୱାଣ୍ଟେଡ୍ ଥିଲା। ଅନମୋଲ ନାମରେ ବିଭିନ୍ନ ରାଜ୍ୟରେ ମୋଟ୍ ୧୮ଟି ମାମଲା ରହିଛି। ତାକୁ ଧରିବା ପାଇଁ ଏନଆଇଏ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଅନମୋଲ ନାମରେ ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି ହୋଇଥିଲା।
ଅନମୋଲ ବିଷ୍ଣୋଇ ଗତବର୍ଷ ନଭେମ୍ବର ମାସରେ ଆମେରିକାରେ ଗିରଫ ହୋଇଥିଲା। ଏହା ପରେ ଭାରତ ସରକାର ଏବଂ ଏନଆଇଏ ପକ୍ଷରୁ ଦୀର୍ଘ ଦିନ ଧରି ତା’ର ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲିଥିଲା। ଆମେରିକାରୁ ଆସି ଦିଲ୍ଲୀରେ ପହଁଚିବା ପରେ ଏନଆଇଏ ଦିଲ୍ଲୀ ବିମାନ ବନ୍ଦରରେ ତାକୁ ବିଧିବଦ୍ଧ ଭାବେ ଗିରଫ କରିଛି।
ଗତବର୍ଷ ଅକ୍ଟୋବର ୧୨ ତାରିଖରେ ମୁମ୍ବାଇର ନୀଲମନଗର ଅଞ୍ଚଳରେ ପୁଅ ଜିସାନ୍ ସିଦ୍ଦିକୀଙ୍କ ଘର ସମ୍ମୁଖରେ ବାବା ସିଦ୍ଦିକୀଙ୍କୁ ତିନି ଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ। ମୁଖ୍ୟ ଆକ୍ରମଣକାରୀ ଶିବ କୁମାର ଗୌତମ ସିଦ୍ଦିକୀଙ୍କ ଉପରକୁ ୬ ରାଉଣ୍ଡ୍ ଫାୟାର୍ କରିଥିଲା, ଯେଉଁଥିରୁ ୩ଟି ଗୁଳି ତାଙ୍କ ଶରୀର ଭେଦ କରିଥିଲା। ଘଟଣାରେ ଶିବ କୁମାରକୁ ହରିଆଣାର ଗୁରୁମେଲ ସିଂ ଏବଂ ଉତ୍ତରପ୍ରଦେଶର ଧର୍ମରାଜ କାଶ୍ୟପ ସହଯୋଗ କରିଥିଲେ।
ବର୍ତ୍ତମାନ, ବିଷ୍ଣୋଇ କ୍ରାଇମ୍ ସିଣ୍ଡିକେଟର ମୁଖ୍ୟ ଲରେନ୍ସ ବିଷ୍ଣୋଇ ଅହମ୍ମଦାବାଦର ସାବରମତୀ ସେଣ୍ଟ୍ରାଲ ଜେଲରେ ରହିଛି। ଅନମୋଲର ଗିରଫଦାରୀ ତା’ର ଭାଇ ଲରେନ୍ସ ଏବଂ ସିଣ୍ଡିକେଟ୍ ବିରୁଦ୍ଧରେ ଚାଲିଥିବା ତଦନ୍ତକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

















