ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଘଟଣା ପ୍ରକାଶ ପାଇଛି। ରୁଷିଆ ଅଭିଯୋଗ କରିଛି ଯେ, ୟୁକ୍ରେନ ପକ୍ଷରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନୋଭଗୋରୋଡ୍ ଅଞ୍ଚଳରେ ଥିବା ରାଷ୍ଟ୍ରପତି ବାସଭବନ ଉପରେ ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଜରିଆରେ ଆକ୍ରମଣ ଉଦ୍ୟମ କରାଯାଇଛି।
ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ କହିଛନ୍ତି ଯେ, ଡିସେମ୍ବର ୨୮-୨୯ ରାତ୍ରିରେ ୯୧ଟି ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଦ୍ୱାରା ଏହି ଆକ୍ରମଣ ଉଦ୍ୟମ ହୋଇଥିଲା, କିନ୍ତୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍ ସମସ୍ତ ଡ୍ରୋନ୍ କୁ ଧ୍ୱଂସ କରିଦେଇଛି। କୌଣସି କ୍ଷୟକ୍ଷତି ବା ହତାହତ ହୋଇନାହିଁ।
ଏହି ଉଦ୍ୟମକୁ “ରାଷ୍ଟ୍ରୀୟ ଆତଙ୍କବାଦ” ବୋଲି ବର୍ଣ୍ଣନା କରି ରୁଷିଆ ପକ୍ଷରୁ କଡ଼ା ଜବାବ ଦେବାକୁ ଚେତାବନୀ ଦିଆଯାଇଛି। ଲାଭ୍ରୋଭ୍ କହିଛନ୍ତି ଯେ, ଏହାର ଉତ୍ତର ନିଶ୍ଚିତ ଦିଆଯିବ ଏବଂ ପ୍ରତିଶୋଧାତ୍ମକ ଆକ୍ରମଣର ଟାର୍ଗେଟ୍ ଓ ସମୟ ନିର୍ଧାରଣ କରାସାରିଛି। ଏହା ସହିତ ରୁଷିଆ-ୟୁକ୍ରେନ ଶାନ୍ତି ଆଲୋଚନାରେ ରୁଷିଆର ପୋଜିସନ୍ ପରିବର୍ତ୍ତନ ହେବ ବୋଲି ଘୋଷଣା କରାଯାଇଛି।
ଏହି ଘଟଣା ଆମେରିକା ମଧ୍ୟସ୍ଥତାରେ ଚାଲିଥିବା ଶାନ୍ତି ପ୍ରକ୍ରିୟାକୁ ବଡ଼ ଧକ୍କା ଦେଇପାରେ ବୋଲି ଆଶଙ୍କା କରାଯାଉଛି। ୟୁକ୍ରେନ ପକ୍ଷରୁ ଏହି ଅଭିଯୋଗକୁ କଡ଼ା ଭାଷାରେ ଖଣ୍ଡନ କରାଯାଇଛି। ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ଏହାକୁ “ରୁଷିଆର ସାଧାରଣ ମିଛ” ବୋଲି କହିଛନ୍ତି ଏବଂ ଶାନ୍ତି ଆଲୋଚନାକୁ ବିଘ୍ନିତ କରିବାକୁ ଏହି ଅଭିଯୋଗ ଉଠାଯାଇଛି ବୋଲି ଦାବି କରିଛନ୍ତି। ରୁଷିଆ ଏହା ଦ୍ୱାରା କ୍ୟୁଭ୍ ଉପରେ ଆହୁରି ଆକ୍ରମଣର ଯୁକ୍ତି ଖୋଜୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ତେବେ କୌଣସି ସ୍ୱାଧୀନ ପ୍ରମାଣ ଏପର୍ଯ୍ୟନ୍ତ ରୁଷିଆ ପ୍ରକାଶ କରିନାହିଁ। ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ପୁଟିନ୍ ଙ୍କ ସହ ଫୋନ୍ ଆଲୋଚନାରେ ଏ ବିଷୟରେ ଜାଣିବା ପରେ ଟ୍ରମ୍ପ୍ କହିଛନ୍ତି ଯେ, “ଏହା ଭଲ ନୁହେଁ, ମୁଁ ଏଥିରେ ବହୁତ କ୍ଷୁବ୍ଧ।” ସେ କହିଛନ୍ତି ଯେ, ଯୁଦ୍ଧ ଚାଲିଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ ଅନୁଚିତ ଏବଂ ଏହା ଶାନ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ରିପୋର୍ଟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହା ଯୁଦ୍ଧକୁ ଆହୁରି ବଢ଼ାଇପାରେ ଏବଂ ଶାନ୍ତି ପ୍ରୟାସକୁ ବାଧା ସୃଷ୍ଟି କରିବ। ଡିପ୍ଲୋମାସି ହିଁ ଏକମାତ୍ର ରାସ୍ତା ବୋଲି ଉଲ୍ଲେଖ କରି ସମସ୍ତଙ୍କୁ ଏହି ପ୍ରୟାସରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ଏହି ଘଟଣା ରୁଷିଆ-ୟୁକ୍ରେନ ଶାନ୍ତି ପ୍ରତିଷ୍ଠାରେ ନୂଆ ବାଧା ସୃଷ୍ଟି କରିଛି। ଆମେରିକା ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନା ଏବେ ଅନିଶ୍ଚିତତାର ମୁହଁରେ ଠିଆ ହୋଇଛି। ବିଶ୍ୱ ନେତାମାନେ ଏହାକୁ ନିନ୍ଦା କରି ଡିପ୍ଲୋମାଟିକ୍ ସମାଧାନର ଆହ୍ୱାନ ଦେଇଛନ୍ତି।















