ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ କେବଳ ଲଢ଼େଇକୁ ଅପେକ୍ଷା। ବାରବାଟୀରେ ଖୁବ କମ୍ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଥିବାରୁ ଏହି ମ୍ୟାଚ୍ ଲାଗି ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ବାରବାଟୀ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ନାଲି ମାଟିରେ ପିଚ୍ ପ୍ରସ୍ତୁତ କରାଯାଇଛି। ରାତିରେ କାକରର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ। ଏଣୁ ମ୍ୟାଚ୍ଟି ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ବାରବାଟୀରେ ଏପର୍ଯ୍ୟନ୍ତ ୩ଟି ଟି୨୦ ମ୍ୟାଚ୍ ଖେଳାଯାଇଛି। ପୂର୍ବରୁ ବାରବାଟୀ ଗ୍ରାଉଣ୍ଡରେ ଭାରତ ଓ ଦ.ଆଫ୍ରିକା ପରସ୍ପରକୁ ଦୁଇ ଥର ଭେଟିଥିବା ବେଳେ ଉଭୟ ଥର ଭ୍ରମଣକାରୀ ଦଳ ବାଜିମାତ୍ କରିଛି।
ଏହି ଗ୍ରାଉଣ୍ଡରେ ଟି୨୦ ଫର୍ମାଟରେ ଭାରତୀୟ ଦଳ ମଧ୍ୟ ବିଜୟ ସ୍ବାଦ ଚାଖିଛି। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକ ଟି୨୦ ମ୍ୟାଚ୍କୁ ଭାରତ ୯୩ ରନର ବଡ଼ ବ୍ୟବଧାନରେ ଜିତିଥିଲା।
ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲ୍ ଦୀର୍ଘ ସମୟ ଧରି ସୋମବାର ନେଟ୍ସରେ ଝାଳ ବୁହାଇଥିଲେ। ଏହାର ଅର୍ଥ ସେ ଏବେ ବେକଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ସାରିଛନ୍ତି। ଇଞ୍ଜୁରି କାରଣରୁ ସେ ଦ. ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଓ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଥିଲେ। ସୋମବାର ତାଙ୍କ ବ୍ୟାଟିଂ ପ୍ରାକ୍ଟିସରୁ ତାଙ୍କର ଖେଳିବା ନିଶ୍ଚିତ ମନେହେଉଛି। ତାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।
ଦଳରେ ଉଇକେଟକିପର ଭାବେ ସଞ୍ଜୁ ସାମସନ ଓ ଜୀତେଶ ଶର୍ମା ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ହିଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। ସାମସନ ଜଣେ ଟପ୍ ଅର୍ଡର ବ୍ୟାଟର ଭାବେ ନିଜକୁ ପ୍ରତିଷ୍ଠିତ କରାଇ ସାରିଛନ୍ତି। ହେଲେ ଦଳରେ ଗିଲ୍ଙ୍କ ଉପସ୍ଥିତି ଯୋଗୁ ତାଙ୍କୁ ଟପ୍ ଅର୍ଡରରେ ସ୍ଥାନ ମିଳିବାର ସମ୍ଭାବନା ନାହିଁ।
ସମ୍ଭାବ୍ୟ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁଭମନ ଗିଲ୍, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ/ଜୀତେଶ ଶର୍ମା (ଉଇକେଟକିପର), ଶିବମ ଦୁବେ, ଅକ୍ଷର ପଟେଲ/ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ।




















