ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ (ବିଜେଡି) ଗଠନରେ ବିଜୟ ମହାପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେତେବେଳେ ବିଜୟଙ୍କୁ ଦଳର ‘କିଙ୍ଗ୍ମେକର୍’ କୁହାଯାଉଥିଲା। ମାତ୍ର ୨୦୦୦ ମସିହା ବିଧାନସଭା ନିର୍ବାଚନ ସମୟରେ ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ଧକ୍କା ବିଜୟ ମହାପାତ୍ରଙ୍କୁ ଲାଗିଥିଲା। ବିଜୟ ମହାପାତ୍ର ନିଜ ନିର୍ବାଚନ ମଣ୍ଡଳୀ ପାଟକୁରାରେ ପ୍ରଚାର କରୁଥିବା ସମୟରେ, ନାମାଙ୍କନ ଦାଖଲର ଶେଷ ମୁହୂର୍ତ୍ତରେ ନବୀନ ପଟ୍ଟନାୟକ ତାଙ୍କର ଟିକେଟ୍ ରଦ୍ଦ କରିଦେଇଥିଲେ। ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ବିଜୟଙ୍କୁ ଦଳୀୟ ପ୍ରାର୍ଥୀ ପଦରୁ ହଟାଇ ଦେଇଥିଲେ। ବିଜୟ ନିଜେ ଏହା ଜାଣିବା ବେଳକୁ ନାମାଙ୍କନ ଦାଖଲ ସମୟ ଶେଷ ହୋଇସାରିଥିଲା। କିନ୍ତୁ ଗତ ଦୁଇ ବର୍ଷ ଭିତରେ ପୁଣି ବିଜେଡି ସହ ସଂପର୍କ ବୃଦ୍ଧି ପାଇଥିଲା ବିଜୟ ମହାପାତ୍ରଙ୍କର । ତାଙ୍କ ପୁଅକୁ ବିଜେଡି ଟିକେଟ ଦେଇଥିଲା । ଅରବିନ୍ଦ ମହାପାତ୍ର ବିଧାୟକ ହୋଇଥିଲେ । ଏବେ ବିଜେଡି ତାଙ୍କୁ ନିଲମ୍ବନ କରିଛି– ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।




















