ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡାରେ ଦେଇଥିବା ବକ୍ତବ୍ୟକୁ ନେଇ ବର୍ଷିଛି ବିଜେଡି । ଏନେଇ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ନୂଆପଡା ଡବଲ ଇଞ୍ଜିନର ବିକାଶ ଦେଖିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ, ଦୀର୍ଘ ୧୬ ମାସରେ ରାଜ୍ୟ ବିକାଶ ପରିବର୍ତ୍ତେ ବିନାଶ ଦେଖିବାକୁ ମିଳୁଛି ବୋଲି ବିଜେଡି କହିଛି ।
ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହତାଶ ଭାବ ତାଙ୍କ ଭାଷଣରେ ପରିଲକ୍ଷିତ ହେଉଥିଲା । ଚିରାଚରିତ ଢଙ୍ଗରେ, ମୁଖ୍ୟମନ୍ତ୍ରୀ କେବଳ ଗୁଡିଏ ଗପ ଶୁଣାଇଛନ୍ତି, ଯାହାକୁ କେବେ ବି ନୂଆପଡାବାସୀ ଗ୍ରହଣ କରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ, ବିଜେପି ପ୍ରାର୍ଥୀ ଆଜି ମନୋନୟନ ପତ୍ର ଦାଖଲ କରିବେ ବୋଲି କୁହାଯାଇଥିଲା । କିନ୍ତୁ, ତାହା ହୋଇ ପାରିଲା ନାହିଁ । ବିଜେପିରେ ପ୍ରାର୍ଥୀଙ୍କୁ ନେଇ ସୃଷ୍ଟି ହୋଇଥିବା ଅନ୍ତଦ୍ୱନ୍ଦ୍ୱ ଏବେବି ସମାଧାନ ହୋଇ ପାରିନାହିଁ ବୋଲି ଜଳ ଜଳ ଦିଶୁଛି । ସମ୍ଭବତଃ ସେହି କାରଣରୁ, ମୁଖ୍ୟମନ୍ତ୍ରୀଙ୍କ ହତାଶଭାବ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଦେଇଥିବା ବକ୍ତବ୍ୟ ଅନ୍ତଃସାର ଶୂନ୍ୟ ଥିଲା । କେବଳ ବିଜେପିର ବିଜୟ ନିଶ୍ଚିତ ବୋଲି ଦାବି କରିବା ଛଡା ତାଙ୍କ ବକ୍ତବ୍ୟରେ ଆଉ କିଛି ନଥିଲା ।
ଡ. ମହାନ୍ତି କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୂଆପଡା ଜିଲ୍ଲା ଜନ୍ମ ନେଇଥିଲା । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ନୂଆପଡାର ବିକାଶ ତ୍ୱରାନ୍ୱିତ ହୋଇଥିଲା । ପୂର୍ବରୁ ନୂଆପଡା ଜିଲ୍ଲା ଏକ ମରୁଡି ପ୍ରପୀଡ଼ିତ ଜିଲ୍ଲା ଭାବେ ପରିଚିତ ଥିଲା ବେଳେ, ନବୀନ ପଟ୍ଟନାୟକଙ୍କ ସମୟରେ ଅପର-ଜଙ୍କ ଏବଂ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ନୂଆପଡା ସବୁଜିମାର ରୂପ ନେଇଥିଲା । ସେହିପରି, ଗମନାଗମନ କ୍ଷେତ୍ରରେ, ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ହେବା ପରେ ଐତିହାସିକ ପ୍ରଗତି ହାସଲ ହୋଇଛି । ଜିଲ୍ଲାର ସମସ୍ତ ସ୍କୁଲ ଓ ହସ୍ପିଟାଲର ରୂପାନ୍ତିକରଣ ହୋଇ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆପଡାରେ ‘ଝିଅ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ସଶକ୍ତିକରଣକୁ ସେ ଅଞ୍ଚଳରେ ଦୃଢ କରିଥିଲେ । ଏହା ଦ୍ୱାରା ସେଠାରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ଅନୁପାତ ୧୦୨୦କୁ ବୃଦ୍ଧି ପାଇଥିଲା । ନୂଆପଡାବାସୀ ବିଜୁ ଜନତା ଦଳ ସହିତ ଅଛନ୍ତି । ଉପନିର୍ବାଚନରେ, ନୂଆପଡାବାସୀ ବିଜେଡି ସପକ୍ଷରେ ମତଦାନ କରିବେ ବୋଲି ଡ. ମହାନ୍ତି କହିଛନ୍ତି ।