ଭୁବନେଶ୍ୱର: ଓଡ଼ିଶା ପ୍ରଶାସନ କଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ୧୯୯୧ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଏକ ୧୫-ଦଫା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
୨୦୩୬ ଲକ୍ଷ୍ୟ: ୫୦୦ ବିଲିଅନ ଅର୍ଥନୀତି ଓ ‘ମିଶ୍ରିତ ମଡେଲ’
ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ,୨୦୩୬ ମସିହା ସୁଦ୍ଧା ଧାର୍ଯ୍ୟ ହୋଇଥିବା ୫୦୦ ବିଲିଅନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ ପାଇଁ ତୁରନ୍ତ ରୋଡମ୍ୟାପ୍ ପ୍ରସ୍ତୁତି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ବିଭାଗରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକୁ ଚିହ୍ନଟ କରି ସ୍ୱଚ୍ଛତାର ସହ ପୂରଣ କରିବା ଦିଗରେ କାର୍ଯ୍ୟ କରିବ ବିଜେପି ସରକାର । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି। ଦାୟିତ୍ୱହୀନ ଓ ଅପାରଗ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କହିଛନ୍ତି । ଓଡ଼ିଶାକୁ କେବଳ ଖଣିଜ ଭିତ୍ତିକ ନୁହେଁ, ବରଂ କୃଷି, ପର୍ଯ୍ୟଟନ ଓ ଆଇଟି (IT) କ୍ଷେତ୍ରରେ ଏକ ମିଶ୍ରିତ ଅର୍ଥନୈତିକ ମଡେଲ ଆଡ଼କୁ ନେବାକୁ ସରକାର କାର୍ଯ୍ୟ କରୁଛନ୍ତି। ସାଧାରଣ ଲୋକଙ୍କୁ ସରକାରୀ ସେବା ପାଇଁ ଯେପରି ଅଫିସ୍ ଦୌଡ଼ିବାକୁ ନପଡ଼େ, ସେଥିପାଇଁ ଟେକ୍ନୋଲୋଜିର ବ୍ୟବହାର ଓ ଡିଜିଟାଲ୍, ଅନଲାଇନ ସର୍ଭିସକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଚାଷୀମାନଙ୍କୁ ସମୟ ଅନୁସାରେ ବିହନ, ସାର ଓ ମଣ୍ଡି ସୁବିଧା ଯୋଗାଇବା ସହ ସେମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଉଯାଉଛି । ସୁଭଦ୍ରା ଯୋଜନା ଭଳି ମହିଳା କଲ୍ୟାଣକାରୀ ଯୋଜନାଗୁଡ଼ିକର ସୂଚାରୁ ରୂପେ ପରିଚାଳନା ଏବଂ ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି । ରାଜ୍ୟରେ ଥିବା ବୃହତ ଶିଳ୍ପଗୁଡ଼ିକରେ ସ୍ଥାନୀୟ ଓଡ଼ିଆ ପିଲାମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବା ନିଶ୍ଚିତ କରିବା କୁ ସରକାର ଗ୍ରହଣ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ସୁଧାରିବା ଏବଂ ଗ୍ରାମାଞ୍ଚଳରେ ଡାକ୍ତରଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ ଗୁରୁତ୍ବ ଦେଉଛନ୍ତି ନୂଆ ସରକାର । ସରକାରୀ ସ୍କୁଲ ଓ କଲେଜଗୁଡ଼ିକରେ ଶିକ୍ଷାର ଗୁଣବତ୍ତା ବଢ଼ାଇବା ସହ ଉଚ୍ଚଶିକ୍ଷା ପାଇଁ ଭିତ୍ତିଭୂମିର ବିକାଶ କରାଯାଉଛି । ପ୍ରତି ସୋମବାର ବ୍ଲକ ଓ ଜିଲ୍ଲା ସ୍ତରରେ ହେଉଥିବା ଜନଶୁଣାଣିର ନିୟମିତ ମନିଟରିଂ ଓ ଲୋକଙ୍କ ସମସ୍ୟାର ସମୟ ଭିତରେ ସମାଧାନ କରାଯିବାକୁ ନିର୍ଦେଶ ରହିଛି। କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ଓଡ଼ିଶାରେ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହ ଉତ୍ତମ ସମନ୍ୱୟ ରଖାଯାଉଛି । ବିଭିନ୍ନ ରେଳ ପ୍ରକଳ୍ପ ଓ ଜାତୀୟ ରାଜପଥ କାମରେ ଥିବା ଜମି ଅଧିଗ୍ରହଣ ସମସ୍ୟାର ତୁରନ୍ତ ସମାଧାନ କରାଯିବ। ଓଡ଼ିଶାର ଐତିହ୍ୟ ସ୍ଥଳଗୁଡ଼ିକର ବିକାଶ କରି ପର୍ଯ୍ୟଟନକୁ ଅର୍ଥନୀତିର ଅନ୍ୟତମ ମୁଖ୍ୟ ଉତ୍ସ ଭାବେ ଗଢ଼ିବାକୁ ଗୁରୁତ୍ବ ଦେବେ ସରକାର। ପ୍ରତ୍ୟେକ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦିଷ୍ଟ ଟାର୍ଗେଟ୍ ଦେବା ଏବଂ ସେମାନଙ୍କ କାର୍ଯ୍ୟର ନିୟମିତ ସମୀକ୍ଷା କରୁଛନ୍ତି ସରକାର ।
ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ସାକ୍ଷାତକାରରେ ରାଜ୍ୟର ଭବିଷ୍ୟତ ରୋଡମ୍ୟାପ୍ ସ୍ପଷ୍ଟ କରାଯାଇଛି। ‘ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ’ ଅନୁସାରେ ଧାର୍ଯ୍ୟ ଲକ୍ଷ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାସଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଏବଂ ଦେଶର ଶ୍ରେଷ୍ଠ ୫ଟି ବିକଶିତ ରାଜ୍ୟ ମଧ୍ୟରେ ସ୍ଥାନିତ କରିବା ପାଇଁ ‘ମିଶ୍ରିତ ଅର୍ଥନୀତି’ (Mixed Economy) ଆଡ଼କୁ ଅଗ୍ରସର ହେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପ୍ରଶାସନକୁ ସ୍ୱଚ୍ଛ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଗର୍ଗଙ୍କୁ ଦୁଇଟି ବଡ଼ ଦାୟିତ୍ୱ ଦେଇଛନ୍ତି । ଆସନ୍ତା ୨ ବର୍ଷ ମଧ୍ୟରେ ସମସ୍ତ ଖାଲିଥିବା ସରକାରୀ ପଦବୀ ପୂରଣ କରିବାକୁ ପଦକ୍ଷେପ ନିଆଯିବ। ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ଦାୟିତ୍ୱହୀନ ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।












