କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିବା ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।
ଏଥିସହ ସେ ଉଲ୍ଲେଖ କରିଛନ୍ତି, ନଡ୍ଡାଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନ ତାଙ୍କୁ ଅଧିକ ଉତ୍ସାହରେ କାର୍ଯ୍ୟକରିବା ପାଇଁ ପ୍ରେରଣା ଯୋଗାଇବ। ଏହାପରେ ସେ ସ୍ଥାନୀୟ ଭାରତ ମଣ୍ଡପମ୍ କମ୍ପ୍ଲେକ୍ସଠାରେ ଆୟୋଜିତ ଓଡ଼ିଶା ଷ୍ଟେଟ୍ ଡେ’ ସେଲିବ୍ରେଶନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଭାଜପା ସରକାରର ଲକ୍ଷ୍ୟ ହେଉଛି ଟ୍ରାନ୍ସଫର୍ମେସନାଲ ଗ୍ରୋଥ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରୁଛି। ଗତ ଦେଢବର୍ଷ ମଧ୍ୟରେ ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମି କ୍ଷେତ୍ରରେ ଭିଜନ୍ ୨୦୩୬କୁ ଲକ୍ଷ୍ୟ କରି ୧୫ ହଜାର କି.ମି. ବିଶ୍ୱସ୍ତରୀୟ ସଡ଼କ, ବାହୁଦା ଓ କେନ୍ଦ୍ରାପଡ଼ାଠାରେ ନୂତନ ବନ୍ଦର ଏବଂ ପୁରୀରେ ଅନ୍ତର୍ଜାତୀୟ ଏୟାରପୋର୍ଟ ପ୍ରତିଷ୍ଠା ଭଳି ବୃହତ୍ ପ୍ରକଳ୍ପ ଆରମ୍ଭ କରାଯାଇଛି। ଶିଳ୍ପ କ୍ଷେତ୍ରରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି କରାଯାଇଛି।




















